ମହାକାଳପଡ଼ା, ୨୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୯୯୯ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ମହାବାତ୍ୟାର କରାଳ ଦୃଶ୍ୟ ଏବେବି ଲୋକଙ୍କର ମନେପଡ଼େ। ଆଜିକୁ ୨୭ ବର୍ଷ ପୂର୍ବେ ସମୁଦ୍ରକୂଳିଆ ବାସିନ୍ଦାଙ୍କ ପାଇଁ ଏହା ଏକ କଳା ଦିନ ଥିଲା। କାହିଁକି ନା ଏହି ଅଘଟଣରେ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା। ଏହି ମହାବାତ୍ୟା ମା’ କୋଳରୁ ଶିଶୁ, ସ୍ତ୍ରୀ, ସ୍ବାମୀ, ମା, ବାପା, ଭାଇ-ଭାଇ ଏମିତି ଅନେକ ସମ୍ପର୍କୀୟଙ୍କ ପରିଚୟ ହଜିଯାଇଛି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗରର ଅନତି ଦୂରରେ ଥିବା ନାଞ୍ଜୁରା ପଞ୍ଚାୟତ ଘଞ୍ଚ ଲୁଣା ହେନ୍ତାଳ ଜଙ୍ଗଲ ପାର୍ଶ୍ୱ ସାନ୍ତାଳୀ ଗାଁ ପାଣିଖିଆରେ। ଏକ ଉଚ୍ଚ ଚାଳ ଛପର ଉପରେ ୧୫ ପରିବାରର ୬୦ରୁ ଅଧିକ ଲୋକ ଆଶ୍ରୟ ନେଇଥିଲେ। କିଟିମିଟି ଅନ୍ଧାରରେ ସମୁଦ୍ର ଉଚ୍ଚ ଢେଉରେ ଜଣ ଜଣ କରି ଆଖି ଆଗରେ ନିଜ ଲୋକମାନେ ସ୍ରୋତରେ ଭାସିଗଲେ ବୋଲି ସୁନାରାମ ମାରାଣ୍ଡି, ଲବ ମାରାଣ୍ଡି, ଗଜେନ୍ଦ୍ର ମାରାଣ୍ଡି, ଗୁରୁଭା ହାଁସଦା, ରମେଶ ମାରାଣ୍ଡି, ଚରଣ ଟୁଡୁ ଓ ପୂର୍ଣ୍ଣ ଟୁଡୁ ପ୍ରମୁଖ ମନେ ପକାଇଛନ୍ତି। ଏଭଳି ଆଉ କଳା ଦିନ ନ ଆସୁ ବୋଲି ସାନ୍ତାଳୀ ସମାଜର ଇଷ୍ଟ ଦେବତା ମାରାଂଙ୍ଗବୁରୁଙ୍କୁ ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି।