ଭୁବନେଶ୍ୱର, ୩ା୯(ବନ୍ଦନା ସେଠୀ): ବାରମ୍ବାର ଲଘୁଚାପ ସହ ମୌସୁମୀ ପ୍ରଭାବରେ ରାଜ୍ୟରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ତେବେ ଜୁନ୍ ୧ରୁ ସେପ୍ଟେମ୍ବର ୨ ମଧ୍ୟରେ ହାରାହାରି ସ୍ବାଭାବିକ ବର୍ଷା ୯୩୧.୯ ମି.ମି.ଠାରୁ ୨୬% ଅଧିକ ବର୍ଷା ରେକର୍ଡ ହୋଇଛି। ତେବେ ଗଜପତି ଜିଲାରେ ଅଭାବୀ ବର୍ଷା ଦେଖାଦେଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଓଡ଼ିଶା-ପଶ୍ଚିମବଙ୍ଗ ଦେଇ ଗତି କରିବା ସହ ସନ୍ଧ୍ୟାସୁଦ୍ଧା ପଶ୍ଚିମ ଝାଡ଼ଖଣ୍ଡ ଓ ପାଖାପାଖି ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ ଗୁରୁବାରଠାରୁ ବର୍ଷାର ପରିମାଣ ଆହୁରି କମିବ। ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଗୁରୁବାର ରାଜ୍ୟର କଁା ଭଁା ସ୍ଥାନରେ ଘଡ଼ଘଡି ସହିତ ବର୍ଷା ହୋଇପାରେ। ତେବେ ବାଲେଶ୍ୱର, ଭ୍ରଦକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ଘଡ଼ଘଡ଼ି ସହିତ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲାରେ ଝଡ଼ବର୍ଷା ନେଇ ସୂଚନା ଦିଆଯାଇଛି।