ସ୍ଥାନାନ୍ତର ଅପେକ୍ଷାରେ ୨୫୭ ହରିଣ

କଟକ ଅଫିସ, ୩ା୮: ସ୍ଥାନ ଚିହ୍ନଟ ସରିଛି ହେଲେ ସ୍ଥାନାନ୍ତର ହୋଇପାରୁନାହାନ୍ତି ହରିଣ। ୩ ବର୍ଷ ଧରି ଅନୁପଯୁକ୍ତ ପରିବେଶରେ ରହୁଛନ୍ତି। ୨ରୁ ୩ ହରିଣ ରହିବା ସ୍ଥାନରେ ରହୁଛନ୍ତି ୨୫୭। ହରିଣ ସ୍ଥାନାନ୍ତରଣ ପାଇଁ ସିଏମ୍‌ସିର ଏକ ଟିମ୍‌ ଇତିମଧ୍ୟରେ ଚନ୍ଦକାରେ ଚିହ୍ନଟ କରାଯାଇଥିବା ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନୂଆ ପାର୍କ ପାଇଁ ୧କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଇତିମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ଆସନ୍ତା ୫ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ କୁହାଯାଇଛି।
୧୯୮୧ ମସିହାରେ କଟକ ତୁଳସୀପୁରଠାରେ ୨.୫ ଏକରରେ ଜାଗାରେ ୬ଟି ହରିଣକୁ ନେଇ ସ୍ଥାପନ କରାଯାଇଥିଲା ହରିଣ ପାର୍କ ା ୧୯୯୫ ଅଗଷ୍ଟ ୧୭ରେ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ ଏହାକୁ ସ୍ବୀକୃତି ପ୍ରଦାନ କରିଥିଲେ। ବର୍ତ୍ତମାନ ଉକ୍ତ ପାର୍କରେ ରହିଛନ୍ତି ୨୫୭ ହରିଣ। ଏହି ହରିଣଗୁଡିକର ରକ୍ଷଣାବେକ୍ଷଣ ସିଏମ୍‌ସି ପକ୍ଷରୁ ବର୍ଷକୁ ୫୧ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ତେବେ ଏହି ପାର୍କର ତିନି ପାର୍ଶ୍ୱରେ ବ୍ୟସ୍ତ ବହୁଳ ରାସ୍ତା ଥିବା ସହ ଚତୁର୍ଥ ପାର୍ଶ୍ୱରେ ଏକ ଚାରିଟେବଲ ଟ୍ରଷ୍ଟର ଡିସ୍‌ପେନ୍ସାରି ରହିଛି। ଯାହାକି ଉକ୍ତ ହରିଣଙ୍କ ପାଇଁ ଅନୁକୂଳ ପରିବେଶ ହେଉନାହିଁ। ଫଳରେ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ ୨୦୧୯ ଅକ୍ଟୋବର ୭ତାରିଖରେ ନିଜର ସ୍ବୀକୃତି ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ଉକ୍ତ ସ୍ଥାନରୁ ପାର୍କ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା। ଚନ୍ଦକା (ବନ୍ୟପ୍ରଣୀ) ବନଖଣ୍ଡ ହଳଦିଆ ରେଞ୍ଜ ଅଧୀନସ୍ତ ଅମ୍ବଲିକୁ ସ୍ଥାନାନ୍ତର କାରିବାକୁ ସ୍ଥିର କରାଯାଇଛି ା କେନ୍ଦ୍ରୀୟ ଚିଡ଼ିଆଖାନା ସ୍ବୀକୃତି ପ୍ରତ୍ୟାହାରକୁ ୩ବର୍ଷ ବିତିଯାଇଥିଲେ ମଧ୍ୟ ହରିଣଙ୍କୁ ସ୍ଥାନାନ୍ତର କରାଯାଇ ପାରିନାହିଁ। ୩ ବର୍ଷ ମଧ୍ୟରେ ହରିଣ ରକ୍ଷଣାବେକ୍ଷଣ ପାଇଁ ସିଏମ୍‌ସି ସମୁଦାୟ ୧କୋଟି ୫୩ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ କରିଛି। ହେଲେ ହରିଣଙ୍କୁ ଉତ୍ତମ ପରିବେଶ ମିଳିପାରୁ ନାହିଁ। ଏନେଇ ସିଏମସି ଡେପୁଟି କମିଶନର ଅଜୟ ମହାନ୍ତି କହିଛନ୍ତି ଏକ ଦଳ ଚିହ୍ନଟ ସ୍ଥାନ ପରିଦର୍ଶନ କରିଛନ୍ତି ା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ୪ରୁ ୫ ମାସ ମଧ୍ୟରେ କାର୍ଯ୍ୟ ଶେଷ ହୋଇଯିବ ବୋଲି ସେ କହିଛନ୍ତି।