୪ ରାଜ୍ୟକୁ ଗଲା ୨୫୦ ଟନ୍‌ ଅକ୍ସିଜେନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ୨୪ ଘଣ୍ଟାରେ ରାଜ୍ୟ ବାହାରକୁ ୨୫୦ ଟନ୍‌ ଅକ୍ସିଜେନ ପଠାଯାଇଛି। ପ୍ରାୟ ୧୫ ଟ୍ୟାଙ୍କରରେ ୪ ରାଜ୍ୟକୁ ଏହି ଅକ୍ସିଜେନ ଯାଇଛି। ଯାଜପୁର, ଅନୁଗୋଳ ଓ ରାଉରକେଲାରୁ ଏହି ମେଡିକାଲ ଅକ୍ସିଜେନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ତେଲଙ୍ଗାନାର ହାଇଦ୍ରାବାଦ, ମଧ୍ୟପ୍ରଦେଶର ଇନ୍ଦୋର ଏବଂ ମହାରାଷ୍ଟ୍ରର ମୁମ୍ବାଇ, ପୁଣେ ଓ ନାଗପୁରକୁ ସୁରକ୍ଷା ବଳୟ ମଧ୍ୟରେ ପଠାଯାଇଛି। ଟ୍ୟାଙ୍କରଗୁଡ଼ିକ ବିନା ପ୍ରତିବନ୍ଧକରେ ଯାତାୟାତ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସ୍ବତନ୍ତ୍ର ଗ୍ରୀନ କରିଡ଼ର କରାଯାଇଥିଲା। ଫଳରେ ରୋଗୀଙ୍କ ନିକଟରେ ମେଡିକାଲ ଅକ୍ସିଜେନ ପହଞ୍ଚତ୍ବାରେ କୌଣସି ବିଳମ୍ବ ହେବନାହିଁ ବୋଲି ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି।
ସୂଚନା ଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବ ପରିଲକ୍ଷିତ ହେଉଛି। ଅକ୍ସିଜେନ ସମସ୍ୟା ଦୂର ପାଇଁ ଓଡ଼ିଶା ସହାୟତାର ହାତ ବଢ଼ାଇଛି। ଅକ୍ସିଜେନ ଯୋଗାଣ ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ଘଣ୍ଟିଆ ସ୍ବତନ୍ତ୍ର ସେଲ୍‌ ଖୋଲାଯାଇଛି। ତେବେ ଅକ୍ସିଜେନ ନେଇ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ଉପରେ ଯେପରି କୌଣସି ପ୍ରତିବନ୍ଧକ ନ ରୁହେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲା। ଆଇନ ଶୃଙ୍ଖଳା ଏଡିଜି ୱାଇ.କେ. ଜେଠୱାଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ଅକ୍ସିଜେନ ପରିବହନ ସମୟରେ ପ୍ରତ୍ୟେକ ଜିଲାରେ ଏସ୍‌ପି ତଥା କମିଶନରେଟ୍‌ ପୋଲିସରେ ଡିସିପିଙ୍କ ସମେତ ରେଞ୍ଜ ଡିଆଇଜି, ଆଇଜି, ସିପି ନିଜ ସୀମାନ୍ତରେ ଏହାର ସୁପରଭାଇଜ କରିବେ।