୩ ଗାଁର ୨୫୦ ଘର, ୫ଶହ ଏକର ଚାଷଜମି ନିଶ୍ଚିହ୍ନ ହେବା ଆଶଙ୍କା

ବାଲିଆପାଳ, ୩୧।୭(ଗୋପାଳ ଚନ୍ଦ୍ର ସାହୁ):ସୁବର୍ଣ୍ଣରେଖା ନଦୀ ଅବବାହିକାର ବାଲି ଓ ମାଟି ଏବେ ଚୋରାଚାଲାଣକାରୀଙ୍କ କବ୍‌ଜାରେ। କେଉଁଠି ଡଙ୍ଗାରେ ତ କେଉଁଠି ଜେସିବି ଲଗାଇ ହଜାର ହଜାର ଟ୍ରିପ୍‌ ବାଲି, ମାଟି ଖୋଳି ନେଉଛନ୍ତି। ନଦୀ ଅବବାହିକାରେ କୃତ୍ରିମ ନଦୀ ସୃଷ୍ଟି ହୋଇଛି। ବନ୍ୟା ଆସିଲେ ଧନ ଜୀବନକୁ ପ୍ରଭାବିତ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁବର୍ଣ୍ଣରେଖା ନଦୀକୂଳିଆ ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତର ଚଡ଼ବଢ଼ାପାଳ, ଛୋଟଖାନପୁର ଓ ବଡ଼ଖାନପୁର ଗାଁର ଗ୍ରାମବାସୀ। ଯେଉଁ ହାରରେ ପ୍ରତିଦିନ ଚୋରାରେ ବାଲି ଉଠାଯାଉଛି ସୁବର୍ଣ୍ଣରେଖାରେ ବନ୍ୟା ଆସିଲେ ଏହି ୩ଟି ଗ୍ରାମର ୨୫୦ରୁ ଅଧିକ ପରିବାରର ଘରଦ୍ୱାର ସୁବର୍ଣ୍ଣରେଖା ନଦୀଗର୍ଭକୁ ଚାଲିଯିବା ସହିତ ପାଖାପାଖି ୫ଶହ ଏକର ଚାଷଜମି ବାଲିଚର ହୋଇଯିବ ବୋଲି ଗ୍ରାମର ଅମୂଲ୍ୟ ନନ୍ଦୀ, ଅନନ୍ତ ସାହୁ, ବେଣୁଧର ନନ୍ଦୀ, ଅଜୟ ଅଣ୍ଡିଆ, ବିଶ୍ୱଜିତ ଅଣ୍ଡିଆ, ରାଜେନ୍ଦ୍ର ମାହାନା, ନୀଳକଣ୍ଠ ରଣାଙ୍କ ସହିତ ବହୁ ଗ୍ରାମବାସୀ ଆଶଙ୍କା କରି ଅଭିଯୋଗ କରିଛନ୍ତି।
ପୂର୍ବର ସୁବର୍ଣ୍ଣରେଖା ନଦୀର ପ୍ରଳୟଙ୍କରୀ ବନ୍ୟାରେ ଏହି ୩ଟି ଗାଁର ବହୁ ଲୋକ ସେତେବେଳେ ମୃତ୍ୟୁବରଣ କରିବା ସହିତ ଗୋରୁଙ୍କ ଜୀବନ ମଧ୍ୟ ଯାଇଥିଲା। ବନ୍ୟାରେ ସମ୍ପୂର୍ଣ୍ଣ ଭାବେ ଘରଦ୍ୱାର ନିଶ୍ଚିହ୍ନ ହୋଇଯାଇଥିଲା। କିଛି ବର୍ଷ ପରେ ଗ୍ରାମବାସୀ ନିଜକୁ ସଳଖି ଘର ଦ୍ୱାର କରି ବସତି ସ୍ଥାପନ କରିଛନ୍ତି। ବାଲି ଚୋରାଚାଲାଣକାରୀମାନେ ନିଜ ସ୍ବାର୍ଥ ପାଇଁ ୩ଟି ଗାଁର ଜୀବନଜୀବିକାକୁ ଜଳାଞ୍ଜଳି ଦେବାକୁ ପଛାଉନାହାନ୍ତି। ବାରମ୍ବାର ଅଭିଯୋଗ ହେଲେ ପ୍ରଶାସନ ବେଳେ ବେଳେ ଚଢ଼ାଉ କରି ଜରିମାନା ନେଇ ଯାଉଛନ୍ତି। ତା’ ପରେ ଯେଭଳି ବାଲିଉଠା ଚାଲିବା କଥା, ସେପରି ଚାଲୁଛି। ଏ ଦିଗରେ ଜିଲାପାଳ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।