ପାଟଣା ବ୍ଲକର ୨ ପଞ୍ଚାୟତର ୨୫୦ ହିତାଧିକାରୀଙ୍କୁ ଭତ୍ତା ବହି ସହ ନଗଦ ୨ ହଜାର…

ପାଟଣା, ୧୩/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଲାଇବ୍ରେରୀ ଗୃହଠାରେ ଶୁକ୍ରବାର ବ୍ଲକସ୍ତରୀୟ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ନୂତନ ଭାବେ ପଞ୍ଜୀକୃତ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ଓ ସ୍ୱାମୀ ପରିତ୍ୟକ୍ତା ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଛି। ବ୍ଲକର ବଡ଼ପାଟଣା ଓ ଟାଙ୍ଗରପଡ଼ା ପଞ୍ଚାୟତର ମୋଟ ୩୨୪ ଜଣ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୨୫୦ ଜଣ ଉପସ୍ଥିତ ରହି ଭତ୍ତା ବହି ସହ ଅକ୍ଟୋବର ଓ ନଭେମ୍ବର ମାସର ଦୁଇ ମାସର ଭତ୍ତା ବାବଦକୁ ୨ ହଜାର ଟଙ୍କା ଗ୍ରହଣ କରିଥିଲେ।

ପାଟଣା ବ୍ଲକରେ ମୋଟ ୧୮୩୮ ଜଣ ନୂତନ ଯୋଗ୍ୟ ହିତାଧିକାରୀ ପଞ୍ଜୀକୃତ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ବଡ଼ପାଟଣା ପଞ୍ଚାୟତର ୧୭୪ ଓ ଟାଙ୍ଗରପଡ଼ା ପଞ୍ଚାୟତର ୧୫୦ ଜଣଙ୍କ ଭତ୍ତା ମଞ୍ଜୁର ହୋଇଛି। ନଭେମ୍ବର ୨୫ ତାରିଖରେ ବ୍ଲକର ଅନ୍ୟ ୧୮ଟି ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ଓ ଭତ୍ତା ବହି ପ୍ରଦାନ କରାଯିବ ବୋଲି ବିଡିଓ ମାନସ କୁମାର ଦଣ୍ଡପାଟ କହିଛନ୍ତି।

ଭାଷ୍ୟକାର ପାର୍ଥସାରଥି ବେଜଙ୍କ ସଂଯୋଜନାରେ ଆୟୋଜିତ ଏହି ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଦୁଇ ମାସର ୨ ହଜାର ଟଙ୍କା ଭତ୍ତା ସହ ଭତ୍ତା ବହି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ପାଟଣା ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ବିଧାୟକଙ୍କ ପାଟଣା ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶ, ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ବଡ଼ପାଟଣା ସରପଞ୍ଚ ବିନତି ବାନାରା ଓ ଟାଙ୍ଗରପଡ଼ା ସରପଞ୍ଚ ଅନିରୁଦ୍ଧ ନାଏକ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ନାଏକ କହିଥିଲେ ଯେ, ଭାଜପା ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ୬୦ ବର୍ଷ ବୟସରେ ଉପନୀତ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ଅନ୍‌ଲାଇନ୍‌ରେ ‘ୟୁ’ ମାଧ୍ୟମରେ ଆବେଦନ କରି ଭତ୍ତା ପାଇପାରିବେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ, ସହକାରୀ ଯନ୍ତ୍ରୀ ସୁସ୍ମିତା ବେହେରା, ଏପିଓ ମଧୁସୂଦନ ପ୍ରଧାନ, ବିପିସି ସୁରେନ୍ଦ୍ରନାଥ ଖଣ୍ଡା, ଡବ୍ଲ୍ୟୁଇଓ ସିପ୍ରାରାଣୀ ମହାନ୍ତ, ଜୀବିକା ମିଶନ ବ୍ଲକ ସଂଯୋଜିକା ସସ୍ମିତା ସାହୁ, ବଡ଼ପାଟଣା ପିଇଓ ଅଶୋକ କୁମାର ମହାନ୍ତ, ଡିଇଓ ନିହାର ରଞ୍ଜନ ପୋହୀ, ଟାଙ୍ଗରପଡ଼ା ପିଇଓ ଅଭିଳାଷ ରାଜ ଓ ଡିଇଓ ଯୋଷଦା ନାଏକ ପ୍ରମୁଖ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Share