ବଜାରକୁ ଯାଉଥିବା ନାବାଳିକାକୁ ଅପହରଣ କରି ଅମାନୁଷିକ ନିର୍ଯାତନା: ଆନନ୍ଦପୁର SDPOଙ୍କ ହସ୍ତକ୍ଷେପ ପରେ କୋର୍ଟ ଗଲା ଅଭିଯୁକ୍ତ

ଆନନ୍ଦପୁର/ହାଟଡିହୀ,୧୧।୧୧(ଶ୍ରୀଧର ମହାରଣା / ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ଦୃଢ଼ ହସ୍ତକ୍ଷେପ ପରେ ରାମଚନ୍ଦ୍ରପୁର ପୋଲିସ ଜଣେ ନାବାଳିକାକୁ ଅପହରଣ ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ଶୈଲଙ୍ଗ ଘଡ଼ିପୁରା ଅଞ୍ଚଳର ମହେଶ୍ୱର ଜେନାଙ୍କ ପୁଅ ବିଭୂତି ଜେନା (୨୫) ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଗିରଫ ହେବା ପରେ ନାବାଳିକାଙ୍କ ପରିବାରବର୍ଗ ଏବଂ ସ୍ଥାନୀୟ ଲୋକେ ଏସଡିପିଓ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ ଅକ୍ଟୋବର ୨୨ ତାରିଖରେ ଜଣେ ନାବାଳିକା ବଜାରକୁ ଯାଉଥିବା ସମୟରେ ଅଭିଯୁକ୍ତ ବିଭୂତି ତାଙ୍କୁ ବଳପୂର୍ବକ ଅପହରଣ କରି ନେଇଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ରାମଚନ୍ଦ୍ରପୁର ଥାନାରେ କେସ୍ ନଂ ୩୩୪/୨୦୨୬ ରୁଜୁ ହୋଇଥିଲା। ପୋଲିସ ଏହି ମାମଲାରେ BNSର ଧାରା ୧୩୭(୨)/୨୯୬/୩୫୧(୨)/୩(୫)/୮୭/୬୪(୨)(ଏମ୍)/୬୫(୧) ଏବଂ ପୋକ୍ସୋ (POCSO) ଆଇନ୍ ଧାରା ୬ ଅନୁସାରେ ମାମଲା ପଞ୍ଜିକରଣ କରିଥିଲା।

ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ କେବଳ ଅପହରଣ କରି କ୍ଷାନ୍ତ ହୋଇ ନ ଥିଲା, ବରଂ ନାବାଳିକାଙ୍କୁ ଜବରଦସ୍ତ ଅମାନୁଷିକ ଯୌନ ନିର୍ଯାତନା ଦେଇଥିଲା। ଏପରିକି ଏହି ଘଟଣା କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ମଧ୍ୟ ଅଭିଯୁକ୍ତ ଧମକ ଦେଇଥିଲା।

ଏସଡିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଦିଗଦର୍ଶନରେ ପୋଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତ ବିଭୂତି ଜେନାକୁ କାବୁ କରିବାରେ ସଫଳ ହୋଇଥିଲା। ବୁଧବାର ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Dharitri – Odisha’s No.1 Odia Daily

Share
Tags: POCSO Act