ଅବ୍ୟବହୃତ ଅବସ୍ଥାରେ ୨୫ ଶୌଚାଳୟ

ରାୟଗଡ଼ା,୨୫।୯(ଆଶିଷ ରଞ୍ଜନ ପଣ୍ଡା):ଉନ୍ନତ ସହର ଭାବେ ୩ ଥର ପୁରସ୍କୃତ ହୋଇଥିବା ରାୟଗଡ଼ା ସହରରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ପୌର ପରିଷଦ ପକ୍ଷରୁ ୨୫ଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ନିର୍ମାଣ ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକ୍ଷମ ନ ହୋଇ ନଷ୍ଟ ହେବାକୁ ବସିଲାଣି। ଫଳରେ ବ୍ୟବସାୟ କରିବାକୁ ଆସୁଥିବା ଉଠା ଦୋକାନୀ, ଯାତ୍ରୀ ଶୌଚାଳୟର ସୁବିଧା ପାଇପାରୁନାହାନ୍ତି। ବିଶେଷକରି ମହିଳାମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ରାୟଗଡ଼ା ସହରର ପରିମଳ ବ୍ୟବସ୍ଥାକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ପାଇଁ ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୨୫ ଟି ଶୌଚାଳୟ ନିର୍ମାଣ କରାଯାଇଥିଲା। ରାୟଗଡ଼ା ସହରର ମୁଖ୍ୟ ରାସ୍ତା, ଜିସିଡ଼ି ହାଇସ୍କୁଲ ପଡ଼ିଆ, ଜିଲା ପରିଷଦ କାର୍ଯ୍ୟାଳୟ ପାର୍ଶ୍ୱରେ ଏହିଭଳି ବିଭିନ୍ନ ସ୍ଥାନରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରି ପୌର ପରିଷଦ ଏହି ଶୌଚାଳୟଗୁଡ଼ିକ ନିର୍ମାଣ କରିଥିଲେ। ହେଲେ ଦୂରଦୃଷ୍ଟି ଅଭାବ କାରଣରୁ ସେଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। କେଉଁଠାର ପାଣିର ସୁବିଧା ନାହିଁ ତ ଆଉ କେଉଁଠାରେ ଅନ୍ୟ ଅସୁବିଧା ଲାଗି ରହିଛି। ମେଡ଼ିକାଲ ନିକଟରେ ନିର୍ମାଣ ହୋଇଥିବା ଶୌଚାଳୟକୁ ବ୍ୟବସାୟୀ ଦଖଲ କରି ନିଜର ଷ୍ଟୋରରୁମ୍‌ କରି ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ରଖୁଥିବା ଜଣାପଡ଼ିଛି। ସେହିଭଳି ଜିସିଡ଼ି ପଡ଼ିଆରେ ନିର୍ମାଣ ହୋଇଥିବା ଶୌଚାଳୟ ବ୍ୟବହୃତ ନ ହୋଇ ନଷ୍ଟ ହେବାକୁ ଲାଗିଲାଣି। ମଝିଘରିଆଣି ମନ୍ଦିର ନିକଟରେ ନିର୍ମାଣ ହୋଇଥିବା ଶୌଚାଳୟର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ନଷ୍ଟ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଦୂରଦୂରାନ୍ତରୁ ମଝିଘରିଆଣୀଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ବହୁ ସମସ୍ୟା ଭୋଗୁଛନ୍ତି। ସେହିଭଳି ରୟତ କଲୋନୀ ଛକ ଏବଂ ଡେଲି ମାର୍କେଟ ଠାରେ ନିର୍ମାଣ ହୋଇଥିବା ଶୌଚାଳୟ ମଧ୍ୟ ବନ୍ଦ ପଡ଼ିଛି। ତେଣୁ ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହିତ କାର୍ଯ୍ୟକ୍ଷମ ହେଲେ ଜନସାଧାରଣ ଉପକୃତ ହେବେ ବୋଲି ସାଧାରଣରେ ଦାବି ହୋଇଛି। ଏ ବିଷୟରେ ପୌରାଧ୍ୟକ୍ଷ ମହେଶ ପଟ୍ଟନାୟକଙ୍କୁ ପଚାରିବାରୁ ଖୁବଶୀଘ୍ର ସମସ୍ତ ଶୌଚାଳୟ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି।