ଚାଷୀ ପ୍ରଶିକ୍ଷଣ ପାଇଁ ଆସିଥିବା ୨୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ଭିଜିଲାନ୍ସ ହେପାଜତରେ ୨ ଅଧିକାରୀ

ବାଲେଶ୍ୱର,୧୮ା୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ସରକାରୀ ଟଙ୍କା ହେରଫେର୍‌ ମାମଲାରେ ବାଲେଶ୍ୱର ଜିଲା କୃଷି ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ସରୋଜ କୁମାର ଗିରି ଓ ଏନ୍‌ଜିଓ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ବୁଧବାର ଭିଜିଲାନ୍ସ ପୋଲିସ ଦୁଇ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି।

ଏହି ଘଟଣା ଜିଲା କୃଷି ବିଭାଗ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗିରି ପୂର୍ବରୁ ବାଲେଶ୍ୱର ଜିଲା କୃଷି ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ଯାଜପୁରରେ କାର୍ଯ୍ୟରତ ଅଛନ୍ତି। ସେହିପରି ତୁଷାରକାନ୍ତ ବେହେରା ବାରିପଦାର ‘ଶକ୍ତି ଶିକ୍ଷା’ ନାମକ ଏକ ଏନ୍‌ଜିଓର ନିର୍ଦ୍ଦେଶକ ଅଟନ୍ତି। ଉଭୟଙ୍କ ମଧ୍ୟରେ ମିଳାମିଶା କରି ସରକାରୀ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ବାଲେଶ୍ୱରରେ କାର୍ଯ୍ୟ କରୁଥିବା ବେଳେ ଗିରିଙ୍କ କାର୍ଯ୍ୟକାଳରେ ଚାଷୀମାନଙ୍କର ବିଭିନ୍ନ ପ୍ରଶିକ୍ଷଣ, ସଚେତନତା ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି ଟଙ୍କା ଚାଷୀଙ୍କ ପ୍ରଶିକ୍ଷଣ ପାଇଁ ଖର୍ଚ୍ଚ ହେବା କଥା ଥିଲା। କିନ୍ତୁ ପ୍ରଶିକ୍ଷଣ ନ କରାଇ କାଗଜପତ୍ରରେ ଖର୍ଚ୍ଚ ଦେଖାଇ ଏନ୍‌ଜିଓ ମାଧ୍ୟମରେ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ଉଠିଥିଲା। ଏହି ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ଦୀର୍ଘ ଦିନ ଧରି ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ କାଗଜପତ୍ର ଯାଞ୍ଚ, ବିଲ ଭାଉଚର ଓ ପ୍ରଶିକ୍ଷଣ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା। ତଦନ୍ତରେ ଦୁର୍ନୀତି ହୋଇଥିବା ସତ ବୋଲି ଜଣାପଡ଼ିବା ପରେ ଭିଜିଲାନ୍ସ ପୋଲିସ ଆଜି ଦୁଇ ଜଣଙ୍କୁ ଉଠାଇ ନେଇ ପଚରାଉଚରା ଆରମ୍ଭ କରିଛି। ପଚରାଉଚରା ପରେ ଉଭୟଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share