୨୪ ଘଣ୍ଟାରେ ୨୫ଲକ୍ଷ ଜରିମାନା, ୨୭ ଗିରଫ

ଭୁବନେଶ୍ୱର,୮ା୪(ବ୍ୟୁରୋ): କରୋନା କଟକଣା ଓ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବାରୁ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ସ୍ଥିତି ବିଗିଡ଼ିବା ପରେ ଏବେ ରାଜ୍ୟ ପୋଲିସ କଟକଣାକୁ କଡାକଡି କରିବାକୁ ଅଣ୍ଟା ଭିଡିଛି। ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଚଢ଼ାଉ, ଜରିମାନା ଓ ପଦକ୍ଷେପକୁ ଜୋର୍‌ଦାର କରିଛି। ରାଜ୍ୟର ୧୦ ଜିଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ କୋଭିଡ୍‌ ଉଲ୍ଲଂଘନ ରୋକିବା ପାଇଁ ସାରା ରାଜ୍ୟରେ ପୋଲିସ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ୨୭ ଜଣଙ୍କୁ ଗିରଫ କରାଯିବା ସହ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହିତ ୮୭୦ ଗାଡ଼ି ଜବତ କରିଛି ପୋଲିସ। ଏନେଇ ଓଡିଶା ପୋଲିସ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।