ଗାଈ ଗୋଠରେ ବଜ୍ରପାତ: ଗଲା ୨୫ ଗୋରୁଙ୍କ ଜୀବନ

ନାକଟିଦେଉଳ,୩୦।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଜରେସିଙ୍ଘା ଗ୍ରାମରେ ସୋମବାର ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ଗୋଠରେ ଥିବା ୨୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଏନେଇ ଗୋପାଳନ କରୁଥିବା ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ ଗାଁ ମୁଣ୍ଡ ଗାଈ ଗୋଠରେ ଥିବା ଏକ ଗଛ ମୂଳରେ ୨୫ରୁ ଊର୍ଦ୍ଧ୍ୱ ଗାଈ ଆଶ୍ରୟ ନେଇଥିଲେ। ସେତିକିବେଳେ ଘଡଘଡି ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଗୋଠରେ ଥିବା ଗାଈ, ବଳଦ ଓ ବାଛୁରୀଙ୍କୁ ମିଶାଇ ୨୫ଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା। ମୃତ ଗୋରୁଙ୍କ ମଧ୍ୟରେ ଗଦାଧର ନାଏକଙ୍କ ୭ ଗାଈ ଥିବା ବେଳେ ମହେନ୍ଦ୍ର ମଲ୍ଲୀକଙ୍କ ୭, ଗୟାଧର ଦେହୁରୀଙ୍କ ୨ ଏବଂ ସନ୍ତୋଶ ନାଏକ ୯ଟି ଗୋରୁ ରହିଛି। ଖବର ପାଇ ନାକଟିଦେଉଳ ତହସିଲଦାର ସୁକାନ୍ତ କୁମାର ନାଏକ ଘଟଣାର ତଦନ୍ତ କରିବାକୁ ପାଣିମୁରା ରାଜସ୍ବ ନିରୀକ୍ଷକ ଦିନେଶ ମିଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଗୋପାଳନ କରୁଥିବା ଚାଷୀମାନେ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। ଘଟଣାର ତଦନ୍ତ ପରେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ନାକଟିଦେଉଳ ତହସିଲଦାର ନାଏକ କହିଛନ୍ତି।