ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଉଦ୍ଧାର କରିବାରେ ବିଫଳ ହେଉଛି। ଉଦ୍ଧାରକାରୀ ଟିମ୍‌ ରାଜ୍ୟ ବାହାରକୁ ଖୋଜିବାକୁ ଯାଉଥିଲେ ମଧ୍ୟ ନିଖୋଜ ୧୦ ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହେଉଛି। ନ୍ୟାଶନାଲ୍‌ କ୍ରାଇମ୍‌ ରେକର୍ଡସ ବ୍ୟୁରୋ(ଏନ୍‌ସିଆର୍‌ବି)ରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗତ ୫ ବର୍ଷରେ ୨୩, ୯୫୦ ଶିଶୁ ନିଖୋଜ ହୋଇଛନ୍ତି। ତେବେ ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ ହୋଇଛନ୍ତି। ନିଖୋଜଙ୍କ ମଧ୍ୟରେ ସର୍ବାଧିକ ୮୭% ନାବାଳିକା ରହିଥିବା ଜଣାପଡ଼ିଛି।

୨୦୨୪ରେ ରାଜ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬,୨୨୩ ଜଣ ନିଖୋଜ ହୋଇଥିବା ନେଇ ମାମଲା ରୁଜୁ ହୋଇଛି। ସେଥିରୁ ୬,୨୦୮ ଜଣ ୧୬ରୁ ୧୮ ବର୍ଷ ବୟସର ଝିଅ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୩ରେ ଏହି ସଂଖ୍ୟା ୫,୯୩୮ ଥିବାବେଳେ ବର୍ଷକ ମଧ୍ୟରେ ପ୍ରାୟ ୪.୮ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୨୦ରେ ଓଡ଼ିଶାରେ ୨,୮୯୯ ଜଣ ଶିଶୁ ନିଖୋଜ ହୋଇଥିବାବେଳେ ୨୦୨୧ରେ ୪,୧୩୩ ଏବଂ ୨୦୨୨ରେ ୪,୭୫୭ରେ ପହଞ୍ଚତ୍ଥିଲା। ୫ ବର୍ଷରେ ନିଖୋଜ ଶିଶୁଙ୍କ ସଂଖ୍ୟା ୧୧୪.୬ ପ୍ରତିଶତ ବଢ଼ିଛି। ତଥ୍ୟର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି ନିଖୋଜ ଶିଶୁଙ୍କ ମଧ୍ୟରେ ୮୭ ପ୍ରତିଶତ ଝିଅ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ୭,୨୭୨ ଶିଶୁଙ୍କ ପତ୍ତା ମିଳି ନ ଥିଲା। ୨୦୨୪ର ନୂଆ ନିଖୋଜ ମାମଲାକୁ ମିଶାଇଲେ ନିଖୋଜ ଓ ଉଦ୍ଧାର ହୋଇ ନ ଥିବା ଶିଶୁଙ୍କ ସଂଖ୍ୟା ୧୩,୪୯୫। ୨୦୨୪ରେ ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚ ୩, ୫୬୬ ଶିଶୁଙ୍କୁ ଠାବ କରିଥିଲେ। ନିଖୋଜ ଶିଶୁଙ୍କ ମଧ୍ୟରେ କିଶୋରୀଙ୍କ ଅଧିକ ସଂଖ୍ୟାକୁ ନେଇ ଶିଶୁ ଅଧିକାର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ନିଖୋଜ କିଶୋରୀମାନଙ୍କୁ ମାନବ ଚାଲାଣ, ବାଲ୍ୟବିବାହ, ଶୋଷଣ ଓ ପର୍ନୋଗ୍ରାଫିରେ ସାମିଲ କରାଯାଉଥିବା ଅଭିଯୋଗ ହେଉଛି। ରାଜ୍ୟରୁ କମ୍‌ ବୟସର ଶିଶୁଙ୍କୁ ଅପହରଣ ପରେ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ସେମାନଙ୍କୁ ନେଇ ହୋଟେଲ ଏବଂ ବେଶ୍ୟାଳୟରେ ନିୟୋଜିତ କରାଯାଉଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରୁ ଶିଶୁମାନଙ୍କ ସୁରକ୍ଷା ପାଇଁ ତ୍ୱରିତ ଉଦ୍ଧାର ବ୍ୟବସ୍ଥା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ତଥ୍ୟ ଅନୁସାରେ, ୨୦୨୪ରେ ୬ ହଜାର ୮୩୮ ଜଣ ଶିଶୁ ନିଖୋଜ ହୋଇଥିବାବେଳେ ୨୦୨୫ରେ ଏହି ସଂଖ୍ୟା ୮, ୨୦୬କୁ ବୃଦ୍ଧି ପାଇଛି। କ୍ରାଇମବ୍ରାଞ୍ଚ ତଥ୍ୟ ଅନୁସାରେ, ଓଡ଼ିଶା ପୋଲିସ ୨୦୨୪ ବର୍ଷ ସୁଦ୍ଧା ୩,୫୬୬ ଶିଶୁଙ୍କୁ ଉଦ୍ଧାର କରିଥିବାବେଳେ ୯,୯୨୯ ଶିଶୁଙ୍କ ପତ୍ତା ପାରି ନାହିଁ । ଏଥିରେ ସର୍ବାଧିକ ୮,୮୭୬ ନାବାଳିକାଥିବା ବେଳେ ୧,୦୫୩ ଜଣ ନାବାଳକ ଅଛନ୍ତି। ୨୦୨୨ ରେ ନିଖୋଜ ୬,୨୨୩ ଶିଶୁଙ୍କ ମଧ୍ୟରେ ୧୧,୯୨୨ଜଣ ନାବାଳିକା ଏବଂ ୭୯୮ ନାବାଳକ ଅଛନ୍ତି। ଓଡ଼ିଶା ପୋଲିସ ପକ୍ଷରୁ ଗଠନ ହୋଇଥିବା ସ୍ପେଶାଲ ଟିମ୍‌ ଅପରେଶନ ଅନ୍ବେଷଣ ମାଧ୍ୟମରେ ଅଗଷ୍ଟ ୨୮ରୁ ବିଭିନ୍ନ ରାଜ୍ୟ ଯାଇ ଖୋଜିବ। ଶିଶୁ ନିଖୋଜ ମାମଲାର ବଢ଼ୁଥିବା ସଂଖ୍ୟା ରାଜ୍ୟରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ଏନେଇ ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି, କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟିମ୍‌ ବିଭିନ୍ନ ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଉଦ୍ଧାର କରୁଛି। ଆମର ଏହି ଟିମ୍‌ ୨୮ରୁ ପୁଣି ଅପରେଶନ ଅନ୍ବେଷଣ ମାଧ୍ୟମରେ ଖୋଜିବ। ଏନେଇ ଆଇନଜୀବୀ ଅଭିନାଶ ଗୁରୁ କହିଛନ୍ତି, ଓଡିଶା ପୋଲିସ ଆଉ କ୍ରାଇମବ୍ରାଞ୍ଚ ଶିଶୁମାନଙ୍କୁ ଉଦ୍ଧାର କରିବାରେ ଫେଲ୍‌ ମାରିଛି। ଗୋଟେ ମା’ କୋଳରୁ ଶିଶୁକୁ ଅପହରଣ କରି ନିଆଯାଉଛି। ହେଲେ କ୍ରାଇମ୍‌ବ୍ରାଞ୍ଚ ଓ ପୋଲିସ ଖୋଜିବାରେ ବିଫଳ ହେଉଛନ୍ତି। ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଉଦ୍ଧାର ସଂଖ୍ୟା ଖୁବ କମ୍‌ ବୋଲି ଗୁରୁ କହିଛନ୍ତି। ଏନ୍‌ସିଆରବି ତଥ୍ୟ ଅନୁସାରେ, ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟ ୨୦୨୦ରେ ୨,୩୮୦ ଶିଶୁ ନିଖୋଜ ହୋଇଥିବା ବେଳେ ୨୦୨୧ରେ ୩,୫୨୨ ନିଖୋଜ ହୋଇଥିଲେ। ସେହିପରି ୨୦୨୨ରେ ୨,୨୧୭ ଶିଶୁ ନିଖୋଜ ହୋଇଛନ୍ତି। ସେହିପରି ଛତିଶଗଡ଼ରେ ୨୦୨୦ରେ ୨,୪୫୯ ଶିଶୁ ନିଖୋଜ ହୋଇଥିବାବେଳେ ୨୦୨୧ରେ ୩,୨୭୮ ଏବଂ ୨୦୨୨ରେ ୩ହଜାର ୪୩୪ ଶିଶୁ ନିଖୋଜ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ ୨୦୨୦ରେ ୨ହଜାର ୭୪୫ ଶିଶୁ ନିଖୋଜ ହୋଇଥିବାବେଳେ ୨୦୨୧ରେ ୩, ୭୨୦ ଏବଂ ୨୦୨୨ରେ ୪,୦୪୬ ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ୨୦୨୩ରେ ୩, ୬୦୮ ଶିଶୁ ନିଖୋଜ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୨୦୨୦ରେ ୩,୩୫୬, ୨୦୨୧ରେ ୪,୧୨୯ଜଣ, ୨୦୨୨ରେ ୩,୦୬୯ ଶିଶୁ ନିଖୋଜ ହୋଇଛନ୍ତି। ତାମିଲନାଡୁରେ ୨୦୨୦ରେ ୪,୫୯୧ ଶିଶୁ ନିଖୋଜ ହୋଇଥିବାବେଳେ ୨୦୨୧ରେ ୬,୩୯୯ ଏବଂ ୨୦୨୨ରେ ୫,୦୫୮ ଶିଶୁ ନିଖୋଜ ହୋଇଛନ୍ତି।

Dharitri – Odisha’s No.1 Odia Daily

Share