୨୦ ବର୍ଷରେ ୨୪ ତଦନ୍ତ କମିଶନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଗତ ୨୦ ବର୍ଷରେ ରାଜ୍ୟ ସରକାର ବିଭିନ୍ନ ଘଟଣାର ତଦନ୍ତ କରିବାକୁ ୨୪ଟି ତଦନ୍ତ କମିଶନ ବସାଇଛନ୍ତି। ସେଥିରୁ ୮ଟି ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବାକୁ ବାକି ରହିଛି। ବିଧାୟକ ନାଉରୀ ନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୨୦୦୦ରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ୨୪ଟି ତଦନ୍ତ କମିଶନ ଗଠନ କରିଛନ୍ତି। ସେଥିରେ ଗୁଭୁଡୁମାହା ପୋଲିସ ଗୁଳିବିନିମୟ, ଚିଟ୍‌ଫଣ୍ଡ ଦୁର୍ନୀତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ, ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଇତ୍ୟାଦି ରହିଛି। ୨୪ ତଦନ୍ତ କମିଶନଙ୍କ ମଧ୍ୟରୁ ୧୩ଟି ବିଧାନସଭାରେ ଉପସ୍ଥାପିତ ହୋଇଥିବା ବେଳେ ୩ଟି କମିଶନ ରିପୋର୍ଟ ଉପସ୍ଥାପନ କରିବା ପୂର୍ବରୁ ବନ୍ଦ ହୋଇଯାଇଛି। ୨୦୦୧ରେ ପୁରୀ ବାର ଆସୋସିଏଶନ ଓ ପୋଲିସ ମଧ୍ୟରେ ହୋଇଥିବା ବିବାଦ, ନବରଙ୍ଗପୁର ଜିଲାର ରଙ୍ଗଭାଟି ଓ ରାଇଘର ଗ୍ରାମରେ ହୋଇଥିବା ପୋଲିସ ଗୁଳି ବିନିମୟ ଏବଂ ୨୦୦୯ରେ ଢେଙ୍କାନାଳ ଜିଲାର ଭୁବନରେ ହୋଇଥିବା ପୋଲିସ ଗୁଳିକାଣ୍ଡର ତଦନ୍ତକୁ ବନ୍ଦ କରି ଦିଆଯାଇଛି। ସେହିପରି ୨୦୦୭ କନ୍ଧମାଳ ଦଙ୍ଗା, ୨୦୧୧ରେ ହୋଇଥିବା ପିପିଲି ଗଣବଳାତ୍କାର ମାମଲା, ୨୦୧୬ରେ ହୋଇଥିବା ଗୁମୁଡୁମାହା ପୋଲିସ ଗୁଳିକାଣ୍ଡ ଘଟଣା, ୨୦୧୬ରେ ହୋଇଥିବା ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଏବଂ ରତ୍ନଭଣ୍ଡାର ଚାବି ହଜିବା ଘଟଟଣାର ରିପୋର୍ଟକୁ ସରକାର ତର୍ଜମା କରୁଥିବା ମନ୍ତ୍ରୀ କହିଛନ୍ତି।