ବାତିଲ୍‌ ହେଲା ୯୫ ଟ୍ରେନ୍‌

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗୁରୁବାର ଅବପାତରେ ପରିଣତ ହେବ । ଶୁକ୍ରବାର କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ । ଏହାପରେ ଉପକୂଳ ଆଡ଼କୁ ମାଡ଼ି ଆସିବ ‘ଜୱାଦ’ । ଆସନ୍ତା ୪ ତାରିଖରେ ଓଡ଼ିଶା ଉପରେ ଏହାର ପ୍ରଭାବ ଅଧିକ ପଡ଼ିପାରେ । ତେବେ ଏହା କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ ତାହା ଗୁରୁବାର ସ୍ପଷ୍ଟ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୯୫ ମେଲ ଓ ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଛି। ଡିସେମ୍ବର ୩ ଓ ୪ ତାରିଖ ପାଇଁ ୯୫ଟି ମେଲ ଓ ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଥିବା ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀ-ଗୁଣପୁର, ଭୁବନେଶ୍ୱର-ରାମେଶ୍ୱରମ, ହାୱଡା-ମହୀଶୂର, ଭୁବନେଶ୍ୱର-ସିକନ୍ଦରାବାଦ, ବିଶାଖାପାଟନା-ରାୟଗଡ଼ା ଟ୍ରେନ ଗୁଡ଼ିକୁ ବାତିଲ କରି ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।