୨୨ କୋଟିର ରାସ୍ତା ବର୍ଷେ ଗଲାନାହିଁ

ଚଣ୍ଡିଖୋଲ,୧୫ା୭(ପ୍ରଦୀପ୍ତ କୁମାର ପୃଷ୍ଟି): ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତାରେ ଏବେ ମରାମତି କାର୍ଯ୍ୟ ଆରମ୍ଭ ହୋଇଗଲାଣି। କଟକ ଚାର୍‌ବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ରହିଛି ଏହି ରାସ୍ତା। ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ମାତ୍ର ୧୦ କି.ମି. ୫୦୦ ମିଟର ରାସ୍ତାପାଇଁ ଖର୍ଚ୍ଚ ହୋଇଛି ୨୨କୋଟି ଟଙ୍କା। ଗତ ମାର୍ଚ୍ଚରେ କାମ ଶେଷ ହେବାପରେ ରାସ୍ତାର ବିଭିନ୍ନସ୍ଥାନରେ ଦବିବା ଆରମ୍ଭ ହୋଇଛି। ଏହି ରାସ୍ତାକୁ ପୂର୍ତ୍ତ ବିଭାଗ ତରଫରୁ ୨ ଭାଗରେ ବିଭକ୍ତ କରି ଟେଣ୍ଡର କରାଯାଇଥିଲା। ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ ୫ କି.ମି. ୫୦୦ ମିଟର ପାଇଁ ୯ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ କଳାଶ୍ରୀଠାରୁ ବେଣୀପୁର ପର୍ଯ୍ୟନ୍ତ ୫ କି.ମି. ୫୦୦ ମିଟର ରାସ୍ତା ପାଇଁ ୧୨ କୋଟି ୮୦ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ କାମ କରିଥିବା ଠିକା ସଂସ୍ଥା ଉନ୍ନତମାନ କାମ କରିଥିବାବେଳେ କଳାଶ୍ରୀଠାରୁ ବେଣୀପୁର ପର୍ଯ୍ୟନ୍ତ କାମ କରିଥିବା ଠିକା ସଂସ୍ଥା ଅତ୍ୟନ୍ତ ନିମ୍ନମାନର କାମ କରିଥିଲା, ଯାହାକୁ ନେଇ ସେତେବେଳେ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନିମ୍ନମାନର କାମ ଯୋଗୁ ଲୋକେ ରାସ୍ତା କାମ ବନ୍ଦ କରିଥିଲେ। ଏହାପରେ ବିଭାଗ ତରଫରୁ ଉନ୍ନତମାନର କାମ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ କାମ ପୁଣି ଆରମ୍ଭ ହୋଇଥିଲା। କଳାଶ୍ରୀଠାରୁ ବେଣୀପୁର ପର୍ଯ୍ୟନ୍ତ ରାସ୍ତା କାମ ଗତ ମାର୍ଚ୍ଚରେ ଶେଷ ହୋଇଥିବାବେଳେ ଏହାର ଠିକ୍‌ ମାସକ ପରେ ଗଜେନ୍ଦ୍ରପୁର, କଳାଶ୍ରୀ, ଖଡ଼ଗପୁର ଓ ଦେକୁଡ଼ିଠାରେ ରାସ୍ତା ଦବିବା ଆରମ୍ଭ ହୋଇଥିଲା। ସେଥିପାଇଁ ଠିକାଦାର ଏଥିରେ ତାଳିପକା କାର୍ଯ୍ୟ କରିଥିଲେ। ଏବେ ପୁନର୍ବାର ବିଭିନ୍ନସ୍ଥାନରେ ରାସ୍ତା ଦବିବା ସହିତ ଭାଙ୍ଗିବା ଆରମ୍ଭ ହୋଇଥିବାରୁ ତାଳି ପକା କାର୍ଯ୍ୟ ଆରମ୍ଭ ହୋଇଛି। ଏକ କିଲୋମିଟରକୁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ କିପରି ଏଭଳି ନିମ୍ନମାନର ରାସ୍ତା ତିଆରି ହୋଇଛି ତାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତେଣୁ ତୁରନ୍ତ ଏହାର ଭିଜିଲାନ୍ସ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।