ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ ବିପୁଳ ପରିମାଣର ନିଶା ଜାତୀୟ କଫ୍ ସିରପ୍ ଜବତ କରିବା ସହ ୨ ଜଣ ଅଭିଯୁକ୍ତ ମାନସ ପାଣ୍ଡେ (୨୫) ଝାଙ୍କରପାଲି, ଥାନା- ପଦ୍ମପୁର, ଜିଲା- ବରଗଡ଼ ଏବଂ ଶରତ ଚନ୍ଦ୍ର ତୁଙ୍ଗ (୩୨) (ୱାର୍ଡ ନଂ ୨୬), ଥାନା- ନୟାପଲ୍ଲୀ, ଭୁବନେଶ୍ୱର, ଜିଲା- ଖୋର୍ଦ୍ଧାଙ୍କୁ ଗିରଫ କରିଛି। ପୋଲିସର ଚଢାଉ ସମୟରେ OD 02 DP 4745 ନମ୍ବର ଥିବା ଗାଡିକୁ ଅଟକାଇ ଯାଞ୍ଚ କରାଯାଇ ଗାଡ଼ି ଭିତରୁ ୨୨ଟି ପ୍ଲାଷ୍ଟିକ୍ ବସ୍ତା ଜବତ କରାଯାଇଛି। ପ୍ରତ୍ୟେକ ବସ୍ତାରେ ୩ କାର୍ଟୁନ୍ ଲେଖାଏ ଯେଉଁଥିରେ ପ୍ରତି କାର୍ଟୁନ୍‌ରେ ୧୦ ବୋତଲ ହିସାବରେ ସର୍ବମୋଟ ୭,୯୨୦ ବୋତଲ ‘ୱିନସେରେକ୍ସ’ କଫ୍ ସିରପ୍ ଜବତ ହୋଇଛି। ଏହି ବେଆଇନ ଚୋରା ଚାଲାଣରେ ବ୍ୟବହୃତ ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଏହି ବେଆଇନ ନେଟୱର୍କ ପଛରେ ଆଉ କାହାର ହାତ ଅଛି ପୋଲିସ ତଦନ୍ତ ପରେ ଜଣାପଡିବ। ଏତେ ବଡ଼ ରାକେଟ ଧରା ପଡ଼ିଥିଲେ ହେଁ ଗଣମାଧ୍ୟମକୁ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Dharitri – Odisha’s No.1 Odia Daily

Share