୩୧୮ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୨୧,୦୩୭ ଛାତ୍ରୀଛାତ୍ର

ଭଦ୍ରକ ଅଫିସ,୧୦ା୩: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ବା ସମେଟିଭ୍‌-୨ ପରୀକ୍ଷା। ଜିଲାର ମୋଟ୍‌ ୩୧୮ଟି ଉଚ୍ଚ ବିଦ୍ୟାଳୟର ୨୧୦୩୭ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୭ଟି ବ୍ଳକରେ ମୋଟ୍‌ ୧୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଚାନ୍ଦବାଲି ବ୍ଲକରେ ସର୍ବାଧିକ ୨୦ଟି ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ଭଦ୍ରକ ବ୍ଲକରେ ୧୯ଟି, ବାସୁଦେବପୁରରେ ୨୨ଟି, ଭଣ୍ଡାରିପୋଖରୀରେ ୧୦ଟି, ବନ୍ତରେ ୧୩ଟି, ଧାମନଗରରେ ୧୭ଟି ଓ ତିହିଡିରେ ୧୪ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ରହିଛି। ୧୧ଟି ପରୀକ୍ଷା କେନ୍ଦ୍ରକୁ ନୋଡାଲ ସେଣ୍ଟର ମାନ୍ୟତା ଦିଆଯାଇଛି। ନୋଡାଲ ସେଣ୍ଟରଗୁଡ଼ିକରେ କଡ଼ା ନିରାପତ୍ତା ମଧ୍ୟରେ ପ୍ରଶ୍ନପତ୍ର ରଖାଯିବାର ବ୍ୟବସ୍ଥା ହୋଇଛି। ସେଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଇବାର ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ଜିଲା ତମାମ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନଓ୍ବାଡି ସୁପରଭାଇଜର ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ପରୀକ୍ଷା କେନ୍ଦ୍ରର ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯାଇଛି। ଅନୁରୂପ ଭାବେ ବିଡିଓ ଏବଂ ତହସିଲଦାରଙ୍କୁ ପରୀକ୍ଷା କେନ୍ଦ୍ରଗଡ଼ିକର ତଦାରଖ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।