୨୦୨୩ ପୋଲିସ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୨ା୧ (ବ୍ୟୁରୋ):ବର୍ଷ ୨୦୨୨ ଗଲାପରେ ୨୦୨୩ ଆସିଛି। ଏହି ବର୍ଷରେ ଓଡ଼ିଶା ପୋଲିସ ପାଇଁ ଏକାଧିକ ଚାଲେଞ୍ଜ ରହିଛି। ପୋଲସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ପୋଲିସର ଆଗାମୀ ଅଭିମୁଖ୍ୟ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି। ଡିଜିପି ବଂଶଲ କହିଛନ୍ତି, ୨୦୨୨ରେ କୋଭିଡ୍‌ ଥିଲେ ମଧ୍ୟ ଭଲ କାମ କରିଥିଲୁ। ୨୦୨୩ରେ ମଧ୍ୟ କୋଭିଡ୍‌ ସଂକ୍ରମଣ ବଢ଼ିପାରେ। ତେଣୁ ସେହି ଅନୁସାରେ ସତର୍କତା ଅବଲମ୍ବନ କରିବା ଦରକାର। ଆଇନକୁ ସମସ୍ତେ ମାନିବା ଦରକାର। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ। ଅନେକ ଲୋକ ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳିଛୁ। ସେମାନେ ସମସ୍ତ ନିୟମ ମାନିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ପୋଲିସ ବିଭାଗ ଭଲ କାମ କରିଛି। ଏଥିସହ ମାଓବାଦୀ ଦମନ କ୍ଷେତ୍ରରେ ନିୟନ୍ତ୍ରଣ ଆସିଛି। ୨୦୨୩ରେ ସମସ୍ତ ସାଢ଼େ ୪ କୋଟି ଲୋକଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ତେବେ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‌ ପୋଲିସ ପାଇଁ ବଡ଼ ଚାଲେଞ୍ଜ ରହିଛି। ହକି ବିଶ୍ୱକପ୍‌କୁ ସୁଚାରୁରୂପେ ସାରିବା ପରେ ଅନ୍ୟ ଏକାଧିକ ଦିଗ ପ୍ରତି ଫୋକସ୍‌ ରହିବ। ମାଓବାଦୀ ଦମନ, ସାଇବର କ୍ରାଇମ, ଅର୍ଥନୈତିକ ଅପରାଧ ଠକେଇ, ନିଶା କାରବାର ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ବିଶେଷ କରି ସାଇବର କ୍ରାଇମ ଚିନ୍ତାଜନକ ରହିଥିବାରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ରାଜ୍ୟରେ ସାଇବର ଥାନା ପ୍ରତିଷ୍ଠା କରାଯାଇଛି। ପୋଲିସ ଅଧିକାରୀଙ୍କୁ ନୂଆ ଟେକ୍ନୋଲୋଜି ଯୋଗାଇ ଦେଉଛୁ। ଅନ୍‌ଲାଇନ କାରବାର ଅଧିକ ବଢ଼ିବାରୁ ଏହି ଅପରାଧ ବୃଦ୍ଧି ପାଇଛି। ଲୋକମାନେ ଅଧିକ ସଚେତନ ହେଲେ ଏହି ଅପରାଧ କମିପାରିବ ବୋଲି ସେ କହିଛନ୍ତି।