ଥମୁନି ସଂକ୍ରମଣ: ୬ ଦିନରେ ୨୦୧୯ ଆକ୍ରାନ୍ତ

ଭୁବନେଶ୍ୱର, ୭ା୧୦(ବ୍ୟୁରୋ):ଭୁବନେଶ୍ୱରରେ ସଂକ୍ରମଣର ଗ୍ରାଫ୍‌ ତଳକୁ ଆସିବାର ନା ଧରୁନି। ଅକ୍ଟୋବର ଆରମ୍ଭରୁ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଅକ୍ଟୋବର ୧ରୁ ୬ ତାରିଖ ମଧ୍ୟରେ ଭୁବନେଶ୍ୱରରେ ୨,୦୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାମଧ୍ୟରୁ କେବଳ ୧,୪୫୧ ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୫୬୮ଜଣ ସଂକ୍ରମିତ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ବାସ କରୁଥିବା ଲୋକ ଏବେ ଏକ ପ୍ରକାର ଭୟର ବାତାବରଣ ମଧ୍ୟରେ ରହିଛନ୍ତି। ଅପରପକ୍ଷରେ କୌଣସି କଟକଣା ଲାଗୁ ନ ହୋଇ ଅନ୍ୟ ସହର ତୁଳନାରେ ଭୁବନେଶ୍ୱର ସ୍ଥିତି ବହୁତ ଭଲ ଅଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ସୂଚନା ଅନୁସାରେ ଗତ ୬ଦିନ ମଧ୍ୟରେ ଭୁବନେଶ୍ୱରରୁ ମୋଟ ୨,୦୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧,୯୬୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ହେଲେ ସବୁଠୁ ବଡ଼ କଥା ହେଉଛି ସହରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉନାହିଁ। ଦୈନିକ ୩୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ସୁସ୍ଥ ହାର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ୬ ଦିନରେ ୧୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ଏବେ ୧୦୫ରେ ପହଞ୍ଚତ୍ଛି। ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୬୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୬ ଜଣ କ୍ୱାରାଣ୍ଟାଇନ୍‌ରୁ ଓ ୨୪୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିସହ ଆଉ ୩୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ସମସ୍ତ ପଜିଟିଭ ପୂର୍ବରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ପଟିଆରୁ ୨୧, ନୟାପଲ୍ଲୀରୁ ୧୯, ଶହୀଦନଗରରୁ ୧୨, ଲକ୍ଷ୍ମୀସାଗରରୁ ୯, ପାତ୍ରପଡ଼ାରୁ ୮, ୟୁନିଟ-୯, ରସୁଲଗଡ଼, ୟୁନିଟ-୮, ଶୈଳଶ୍ରୀ ବିହାର ଓ ଶହୀଦନଗରରୁ ୭ ଲେଖାଏ, ଶୈଳଶ୍ରୀ ବିହାର ଓ ଝାରପଡ଼ାରୁ ୬ ଲେଖାଏ, ଆଇଆର୍‌ସି ଭିଲେଜ ଓ ପଳାଶୁଣୀରୁ ୫ ଲେଖାଏ, ବାପୁଜୀ ନଗର ଓ ସାମନ୍ତରାପୁରରୁ ୪ ଲେଖାଏ, ୟୁନିଟ-୯, ମଞ୍ଚେଶ୍ୱର, ନୀଳାଦ୍ରି ବିହାର, ଖାରବେଳ ନଗର ଓ ବରମୁଣ୍ଡାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ବହୁ ସ୍ଥାନରୁ ଜଣେ କିମ୍ବା ୨ ଜଣ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏବେ ଭୁବନେଶ୍ୱରରେ ୩,୫୭୧ ଜଣ ସକ୍ରିୟ ଆକ୍ରାନ୍ତ ଥିବା ଜଣାପଡ଼ିଛି।