ସହରର ବିକାଶ ନିମନ୍ତେ ୨୭୦୦ କୋଟି ଟଙ୍କା ବିନିଯୋଗ

କଟକ,୭ା୪(କାର୍ତ୍ତିକ ସାହୁ)କଟକ ମହାନଗର ନିଗମ(ସିଏମ୍‌ସି) କାଉନ୍‌ସିଲକୁ ୨ ବର୍ଷ ପୂରଣ ହୋଇଛି। ୨୦୨୨ ଏପ୍ରିଲ ୭ ତାରିଖରେ ସିଏମ୍‌ସି ମେୟର ସୁବାସ ସିଂ ଓ ନିର୍ବାଚିତ କର୍ପୋରେଟରମାନେ ଶପଥ ଗ୍ରହଣ କରିଥିଲେ। ଏହି ୨ ବର୍ଷ ମଧ୍ୟରେ ସହରର ବିକାଶ ନିମନ୍ତେ ୨୭୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଏକ ରେକର୍ଡ ସୃଷ୍ଟି ହୋଇଛି ବୋଲି କଟକ କିଲ୍ଲାଖାଇସ୍ଥିତ ମେୟରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମେୟର ସୁବାସ ସିଂ ଏବଂ ଡେପୁଟି ମେୟର ଦମୟନ୍ତୀ ମାଝି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ନବନିର୍ମିତ କଟକ ନେତାଜୀ ବସ୍‌ ଟର୍ମିନାଲ ଓ ମୁଖ୍ୟ ଡ୍ରେନ୍‌ର ରୂପାନ୍ତର ହୋଇ ବକ୍ସଡ୍ରେନ୍‌ର ଚାରିଥାକିଆ ରାସ୍ତା ସହ ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଇତିହାସ ରଚିଛି। ୧୦୦ ବର୍ଷର ରାସ୍ତା ଉପରେ ବ୍ୟବସାୟ କରୁଥିବା ଛତ୍ରବଜାର ପରିବା ବ୍ୟବସାୟୀଙ୍କୁ ସ୍ଥାୟୀ ଭାବେ ବସାଇବା ପାଇଁ ଅର୍ବାନ ହାଟ ନିର୍ମାଣ କରାଯାଇଛି। ରାଣୀହାଟରେ ନିର୍ମିତ ୱାଚ୍‌ ଟାୱାର ସହରର ଗରିମାକୁ ବଢ଼ାଇବାରେ ସହାୟ ହୋଇଛି। ଜାଗା ମିଶନ ଜରିଆରେ ୩,୪୮୦ ଜଣ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ନରଣପୁରଠାରେ ୫୦୫ଟି ଅର୍ଥନୈତିକ ଅନଗ୍ରସର ପରିବାରକୁ ସିଏମ୍‌ସି ପକ୍ଷରୁ ସ୍ବଳ୍ପ ମୂଲ୍ୟରେ ଘର ଦିଆଯିବାର ବ୍ୟବସ୍ଥା କରାଯାଇପାରିଛି।
ଚଳିତବର୍ଷ ୭,୫୨୯ ଜଣ ଲୋକଙ୍କୁ ସିଏମ୍‌ସି ଜରିଆରେ ମଧୁବାବୁ ପେନ୍‌ସନ୍‌ ସୁବିଧା ଯୋଗାଇ ଦିଆଯାଇଛି। ଏଥିସହ ଚଳିତବର୍ଷ ୩୬ଟି ନୂଆ ଅଙ୍ଗନୱାଡି କେନ୍ଦ୍ର, ୨୯ଟି ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ସରି ବ୍ୟବହାର ଉପଯୋଗୀ ହୋଇପାରିଛି। ମୁକ୍ତା ଯୋଜନାରେ ୪୨୮ଟି ପ୍ରକଳ୍ପ କାମ ଏସ୍‌ଏଚ୍‌ଜି ମହିଳାଙ୍କ ମାଧ୍ୟମରେ କରାଯାଇଛି। ୧୦ଟି ବସ୍ତିରେ ସ୍ମାର୍ଟ ଲାଇବ୍ରେରି ପ୍ରତିଷ୍ଠା ହୋଇଛି। ୧୦ରୁ ଊର୍ଦ୍ଧ୍ୱ ପାର୍କ ନିର୍ମାଣ ଓ ୩୦ଟି ୱାର୍ଡ ଅଫିସ କାର୍ଯ୍ୟକ୍ଷମ ହୋଇଛି। ୭୫ ଲକ୍ଷ ଟଙ୍କା ବ୍ୟୟରେ ଗୋରାକବରସ୍ଥିତ ମଧୁସୂଦନ ଦାସଙ୍କ ସମାଧି ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ୧.୬୫ କୋଟି ଟଙ୍କା ବିନିଯୋଗରେ ଟାଉନ୍‌ ହଲଠାରେ ଅତ୍ୟାଧୁନିକ ଆର୍ଟ ଗ୍ୟାଲେରି ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି। ଏହାଛଡ଼ା ୩୧କୋଟି ଟଙ୍କା ବିନିମୟରେ ଓଡ଼ିଶାର ବୃହତ୍‌ ବିଶ୍ୱନାଥ ପଣ୍ଡିତ ଲାଇବ୍ରେରି ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୧୦ କୋଟି ବ୍ୟୟରେ ଦ୍ୱିତୀୟ ବକ୍ସଡ୍ରେନ୍‌ ପାଇଁ ଟେଣ୍ଡର କରାଯାଇ ରାଉସାପାଟଣାରୁ ଝୋଲାସାହି ଆଡ଼କୁ କାମ ଆରମ୍ଭ ହେବାକୁ ଯାଉଛି।
୩୦ କୋଟି ଟଙ୍କା ବିନିମୟରେ ନେତାଜୀ ଜନ୍ମପୀଠର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଗଙ୍ଗା ମନ୍ଦିର ପୋଖରୀର ଉନ୍ନତୀକରଣ, ଲେଜର ଶୋ, ଫୁଡ୍‌ କୋର୍ଟ, ଯୋଗକେନ୍ଦ୍ର ଆକର୍ଷଣୀୟ ଢଙ୍ଗରେ ଖୁବ୍‌ଶୀଘ୍ର ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ଫୁଡ୍‌ କୋର୍ଟ ପୂର୍ଣ୍ଣାଙ୍ଗ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଦୀର୍ଘ ବର୍ଷର ପେଟ୍ଟା ନାଳ କାର୍ଯ୍ୟ ୩୯ କୋଟି ଟଙ୍କା ବିନିମୟରେ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ବିଜୁ ପଟ୍ଟନାୟକ ପାର୍କର ପୁନଃନିର୍ମାଣ, ଜୁଡିସିଆଲ ଏକାଡେମୀ ସମ୍ମୁଖରେ ଉନ୍ନତ ଧରଣର ପାର୍କ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ମହାନଦୀ ବିହାର ନୂଆବଜାରଠାରୁ ବସ୍‌ ଷ୍ଟପେଜ ପର୍ଯ୍ୟନ୍ତ ଉନ୍ନତୀକରଣ ଓ ମିନି ଷ୍ଟାଡିୟମ କାମ ଚାଲିଛି।
ଚୌଧୁରୀ ବଜାରସ୍ଥିତ ସିଏମ୍‌ସି ଅଫିସ ନିକଟରେ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ଓ ଶହୀଦ ଭବନରେ ଅତ୍ୟାଧୁନିକ ସୁବିଧା ପ୍ରଦାନ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ସିଏମ୍‌ସିର ଐତିହାସିକ ସଫଳତା, ସମସ୍ତ କର୍ପୋରେଟରଙ୍କ ନିଷ୍ଠାପର ସହଯୋଗ, ସବୁ ଅଧିକାରୀ ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମରେ ଏହା ହୋଇପାରିଛି ବୋଲି ମେୟର କହିଛନ୍ତି।