ମାଣ୍ଡିଆ ଚାଷ କରି ଏସ୍‌ଏଚ୍‌ଜି ସ୍ବାବଲମ୍ବୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୧: କନ୍ଧମାଳ ଜିଲା ଫିରିଙ୍ଗିଆ ପଞ୍ଚାୟତ ସିଟିକାପଟି ଗାଁର ଧରଣୀ ପେନୁ ଓ ଅମ୍ବିକା ସ୍ବୟଂ ସହାୟିକା ଗୋଷ୍ଠୀର ୨୦ଜଣ ସଦସ୍ୟା ମାଣ୍ଡିଆ ଚାଷ କରି ଆର୍ଥତ୍କ ସ୍ବାବଲମ୍ବୀ ହୋଇଛନ୍ତି। ଏହି ଦୁଇ ସ୍ବୟଂ ସହାୟିକା ଗୋଷ୍ଠୀ ପୂର୍ବରୁ ପରିବା ଚାଷ କରି ଭଲ ରୋଜଗାର କରୁଥିଲୋ ବର୍ତ୍ତମାନ ପୁଣି ଗାଁରେ ୧୦ ଏକର ଜାଗାରେ ମାଣ୍ଡିଆ ଚାଷ କରି ସଫଳତାର ସହ ଏବେ ଅମଳ କରୁଛନ୍ତି।

ଦୁଇ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ୧୦ ଏକର ଜମିରେ ୬କେଜି ମାଣ୍ଡିଆ ବିହନ ନେଇ ଚାଷ କରିଥିଲେ । ସେମାନଙ୍କ ପରିବାରର ପୁରୁଷମାନେ ଏଥିପାଇଁ ଉତ୍ସାହିତ କରିବା ସହ କାମରେ ମଧ୍ୟ ସହଯୋଗ କରିଥିବା କହିଛନ୍ତି ଧରଣୀ ପେନୁ ସ୍ବୟଂ ସହାୟିକା ଗୋଷ୍ଠୀ ସଭାପତି ମଲି କହଁର ଓ ଅମ୍ବିକା ସ୍ବୟଂ ସହାୟିକା ଗୋଷ୍ଠୀ ସଭାପତି ସୀତା କହଁର । ଚଳିତବର୍ଷ ଭଲ ମାଣ୍ଡିଆ ଚାଷ ହୋଇଥିବାରୁ ଅଧିକ ରୋଜଗାର ହେବା ଆଶା ଅଛି ବୋଲି ଧରଣୀ ପେନୁ ଗୋଷ୍ଠୀର ସମ୍ପାଦିକା କୁମାରୀ କହଁର କହିଛନ୍ତି। ଫିରିଙ୍ଗିଆ ବ୍ଲକରେ ଖାଲ ଢିପ ଏବଂ ପାହାଡିଆ ଅଞ୍ଚଳ ରହିଛି । ଚାଷ ପାଇଁ ପାଣି ବ୍ୟବସ୍ଥା ନ ଥିବାରୁ ମାଣ୍ଡିଆ ଚାଷ ପାଇଁ ଏହା ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଛି । ଗତବର୍ଷ ମିଲେଟ ମିଶନ ସ୍ବୟଂ ସହାୟିକା ଗୋଷ୍ଠୀକୁ ବିଭିନ୍ନ ତାଲିମ ପ୍ରଦାନ କରିବା ସହ ମାଣ୍ଡିଆ ବିହନ ଯୋଗାଇ ଦେଇଥିଲା । ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତଙ୍କ ଉଦ୍ୟମରେ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଫୁଲ ଚାଷ, ଷ୍ଟବେରୀ, ଡ୍ରାଗନ୍‌ ଫ୍ରୁଟ ଭଳି ଚାଷ କରିବାକୁ ପ୍ରୟାସ ଜାରି ରହିଛି । ଆଗାମୀ ଦିନରେ ଏହି ଦୁଇ ସ୍ବୟଂ ସହାୟିକା େଗାଷ୍ଠୀ ଏସବୁ ଚାଷ କରି ଅଧିକ ରୋଜଗାର କରିବାକୁ ଆଶା ରଖିଛନ୍ତି।