ଫ୍ଲାଟ୍‌ ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକି ବନ୍ଧା ହେଲେ ବିଲ୍‌ଡର

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜଧାନୀରେ ଫ୍ଲାଟ ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ବିଲ୍‌ଡରଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ବୁଧବାର ଗିରଫ କରିଛି । ସେ ହେଲେ ଅରୁଣଜ୍ୟୋତି ପଟ୍ଟନାୟକ। ତାଙ୍କ ନାମରେ ହରିହର ସାହୁ ନାମକ ଜଣେ ବ୍ୟକ୍ତି ମଙ୍ଗଳବାର ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଭୁବନେଶ୍ୱରର ପଳାଶୁଣିଠାରେ ଏକ ଫ୍ଲାଟ ଦେବା ପାଇଁ ଅରୁଣଜ୍ୟୋତି ହରିହରଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଏଯାବତ ଫ୍ଲାଟ ଦେବା ତ ଦୂରର କଥା ଟଙ୍କା ଫେରସ୍ତ କରିନାହାନ୍ତି। ଅରୁଣଜ୍ୟୋତିଙ୍କୁ ବହୁତ ଅନୁରୋଧ କରିବା ପରେ ସେ ଟଙ୍କା ଫେରସ୍ତ କରିବାକୁ ରାଜି ହୋଇଥିଲେ। ଗତବର୍ଷ ମେ’ ମାସ ୩୦ ତାରିଖରେ ଅରୁଣଜ୍ୟୋତି ତାଙ୍କୁ ଏକ ଚେକ୍‌ ଦେଇଥିଲେ। କିନ୍ତୁ ସେହିବର୍ଷ ଜୁନ ୧୪ ତାରିଖରେ ଉକ୍ତ ଚେକ୍‌ଟି ବାଉନ୍ସ ହୋଇଯାଇଥିଲା ବୋଲି ହରିହରଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।