ଫିଲ୍ମ ନିର୍ମାତା ରାଜ କୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ସହିତ ୨ କୋଟି ଜରିମାନା ଦଣ୍ଡାଦେଶ !…

ମୁମ୍ବାଇ,୧୭।୨ : ‘ଘାତକ’ ଏବଂ ‘ଘାୟଲ’ ଭଳି ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିବା ଜଣାଶୁଣା ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଶନିବାର ଜାମନଗର କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୨ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକୃତରେ, ଚେକ ବାଉନ୍ସ ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏହା ବ୍ୟତୀତ ଅଦାଲତ ତାଙ୍କୁ ଚେକ ରାଶି ଅର୍ଥାତ ୨ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ମାତା ରାଜକୁମାର ଜାମନଗର ବ୍ୟବସାୟୀ ଅଶୋକ ଲାଲଙ୍କଠାରୁ ୧ କୋଟି ଟଙ୍କା ଋଣ ନେଇଥିଲେ କିନ୍ତୁ ପରେ ସେ ଏହି ଟଙ୍କା ଫେରସ୍ତ କରି ନ ଥିଲେ। ଯେତେବେଳେ ଏହି ରାଶି ଫେରସ୍ତ ହୋଇ ନ ଥିଲା, ଅଶୋକଲାଲ ତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି ବେଳେ ରାଜକୁମାରଙ୍କ ବିରୋଧରେ କୋର୍ଟ ଏହି ବଡ ରାୟ ଦେଇଛନ୍ତି।

ଏହି ସମଗ୍ର ବିଷୟ  ୨୦୧୫ ବର୍ଷର ଅଟେ । ୨୦୧୯ ମସିହାରେ ଜାମନଗର କୋର୍ଟ ରାଜକୁମାରଙ୍କୁ ଶୁଣାଣି ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ସେ କୋର୍ଟରେ ହାଜର ହୋଇଥିଲେ। ଏହା ପରେ ଅଶୋକଲାଲଙ୍କ ଓକିଲ କହିଥିଲେ  ରାଜକୁମାର ଏବଂ ଅଶୋକଲାଲ ବହୁତ ଭଲ ବନ୍ଧୁ।  ୨୦୧୫ରେ ଅଶୋକଲାଲ ତାଙ୍କୁ ଏକ କୋଟି ଟଙ୍କା ଋଣ ଦେଇଥିଲେ। ଏହି ଋଣ ପରିଶୋଧ କରିବାକୁ, ରାଜକୁମାର ତାଙ୍କୁ ୧୦ ଲକ୍ଷ ଟଙ୍କାର ୧୦ ଚେକ ଦେଇଥିଲେ କିନ୍ତୁ ଏହି ଚେକ ଡିସେମ୍ବର ୨୦୧୬ରେ ବାଉନ୍ସ ହୋଇଥିଲା ।
ରିପୋର୍ଟ ଅନୁଯାୟୀ, ଓକିଲ ଆହୁରି କହିଛନ୍ତି ଚେକ ବାଉନ୍ସ ହେବା ପରେ ଅଶୋକ ଲାଲ  ରାଜକୁମାରଙ୍କ ସହିତ ଯୋଗାଯୋଗ କରିଥିଲେ, ସେତେବେଳେ ସେ କଥାବାର୍ତ୍ତା କରିପାରିବେ ନାହିଁ  ବୋଲି କହିଥିଲେ। ଏହା ପରେ ଅଶୋକଲାଲ ତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାଏର କରିଥିଲେ।
ଚେକ ବାଉନ୍ସ ହେବା ପରେ ତାଙ୍କୁ ୧୫ ହଜାର ଟଙ୍କା ଦେବାକୁ ଜାମନଗର କୋର୍ଟ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ବର୍ତ୍ତମାନ କୋର୍ଟ ତାଙ୍କୁ ଅଶୋକ ଲାଲଙ୍କଠାରୁ ନେଇଥିବା ଦୁଇଗୁଣା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ରାଜକୁମାର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା। ସେ ଦାମିନୀ, ଅଜବ ପ୍ରେମ କି ଗଜବ କାହାନି, ଖାକି, ଘାତକ ଏବଂ ଘାୟଲ ସମେତ ଅନେକ ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

 

Share