୨ ‘ଭି’, ୩ ‘ଟି’ ସୁରକ୍ଷା ଦେବ

ଭୁବନେଶ୍ୱର, ୧୯ା୪(ବ୍ୟୁରୋ):ଓଡ଼ିଶାର କରୋନା ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ମନୋଜ କୁମାର ସାହୁ କହିଛନ୍ତି, ଭାରତରେ ବିଗତ ୧୦ଦିନ ମଧ୍ୟରେ ସଂକ୍ରମଣ ସଂଖ୍ୟା ଦ୍ବିଗୁଣିତ ହେବା ସମସ୍ତଙ୍କର ଚିନ୍ତା ବଢାଇଛି। ସରକାର ଏକୁଟିଆ ଚାହିଁଲେ ଏ ଯୁଦ୍ଧ ଜିତିପାରିବେ ନାହିଁ। ଦ୍ୱିତୀୟ ଲହରରେ ଶୀଘ୍ର ଲକ୍ଷଣ ଆସୁଥିବା ଏବଂ ଶୀଘ୍ର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହେଉଥିବାରୁ ମୁକାବିଲା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ଏଥିସହିତ ସୁରକ୍ଷିତ ରହିବାକୁ ହେଲେ ଦୁଇଟି ‘ଭି’(Social Vaccine & Ventilation) ଓ ତିନୋଟି ‘ଟି’ (Testing, Tracking & Treatment)ର ମନ୍ତ୍ର ଦେଇଛନ୍ତି ଡା. ସାହୁ। ଅଧିକ ଟିକା ଉତ୍ପାଦନ ଓ ଟିକାକରଣକୁ ଗୁରୁତ୍ୱ ଦେଇ ସେ କହିଛନ୍ତି, ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ ୧ ରୁ ୫ ବର୍ଷ ଶିଶୁଙ୍କୁ ଅଧିକ ସଂକ୍ରମଣ ହେଉଥିବାବେଳେ ଭାରତରେ ୨୦ ରୁ ୪୦ ବର୍ଷର ବ୍ୟକ୍ତି ମଧ୍ୟ ବହୁ ସଂକ୍ରମିତ ହେଉଛନ୍ତି। କିନ୍ତୁ ସରକାରଙ୍କ ଦ୍ୱାରା କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଟିକାକରଣ କରାଯାଉଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ବର୍ତ୍ତମାନ ଭାରତରେ ମାତ୍ର ୧.୧ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇପାରିଥିବାବେଳେ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଭାରତ ବାୟୋଟେକ୍‌ ଇନଷ୍ଟିଚ୍ୟୁଟ୍‌ ୨ଟି ସଂସ୍ଥା ଟିକା ପ୍ରସ୍ତୁତ କରାଉଛନ୍ତି। ସିରମ ଇନଷ୍ଟିଚ୍ୟୁଟ ଗୋଟିଏ ମାସରେ ୭୦ ମିଲିୟନ ଓ ଭାରତ ବାୟୋଟେକ ଇନଷ୍ଟିଚ୍ୟୁଟ୍‌ ୧୦ମିଲିୟନ ଟିକା ପ୍ରସ୍ତୁତ କରିପାରୁଛନ୍ତି। ମାତ୍ର ଆମକୁ ଦୈନିକ ୩୫ ଲକ୍ଷ ହାରରେ ମାସକୁ ୧୦ କୋଟି ଟିକାର ଆବଶ୍ୟକତା ରହିଛି। ତେଣୁ ସରକାର ଟିକା ପ୍ରସ୍ତୁତି ଏବଂ ଆମଦାନୀ ଉପରେ ଗୁରୁତ୍ୱ ଦେଇ ସବୁ ବର୍ଗର ଲୋକଙ୍କୁ ଟିକାକରଣ କରାଇବା ସମେତ ଦୁଇଟି ‘ଭି’ ଏବଂ ତିନୋଟି ‘ଟି’ ମାନି ଚାଲିଲେ ଆମେ ସଂକ୍ରମଣରୁ ରକ୍ଷା ପାଇପାରିବା ବୋଲି ଡା. ସାହୁ କହିଛନ୍ତି।