ଓପିଜିସିର ୨ ୟୁନିଟ୍‌ ବନ୍ଦ: ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ,୮।୪: ଝାରସୁଗୁଡ଼ା ବୁଢ଼ିପଦର ଗ୍ରୀଡ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବା ପରେ ବନହରପାଲି ସ୍ଥିତି ଓ ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ୨ଟି ୟୁନିଟ୍‌ ଗୁରୁବାର ଅପରାହ୍ନ ୨ଟା ବନ୍ଦ ହୋଇଯାଇଛି। ଏହି ୟୁନିଟ୍‌ ଦ୍ୱୟ ବନ୍ଦ ହେବା ଫଳରେ ୪୨୦ ମେଗାଓ୍ବାଟ୍‌ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏ ଜାଣିବା ପରେ ନିଗମର ମୁଖ୍ୟ ପରିଚାଳକ(ଏମ୍‌ଡି) ପ୍ରଶାନ୍ତ କୁମାର ମହାପାତ୍ର ପ୍ରକଳ୍ପରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ଏସମ୍ପର୍କରେ ପ୍ରକଳ୍ପର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିମାଂଶୁ ବେହେରା କହିଛନ୍ତି ବୁଢିପଦର ଗ୍ରୀଡ୍‌ରେ ବ୍ଲାକ ଆଉଟ ହେବା ଫଳରେ ୧ମ ଓ ୨ୟ ୟୁନିଟ ଟ୍ରିପ୍‌ ହୋଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଗତ ଶନିବାର ୨ୟ ୟୁନିଟ୍‌ରେ ଟ୍ୟୁବ୍‌ ଲିକେଜ ହେବା ଫଳରେ ୨ଦିନ ଧରି ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା।