ଚାଲାଣ ପାଇଁ ହେଉଥିଲା ଠୁଳ: ୨ଟନ୍‌ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ଫିରିଙ୍ଗିଆ,୨୬ା୬- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପୋଲିସ ପାହିରାଜୁ ପଞ୍ଚାୟତ ଡ୍ରେସରୁ ଗ୍ରାମରେ ଚଢାଉ କରି ୨ଟନ୍‌ରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଡ୍ରେସରୁର ବି. କେ. କହଁର(୨୫) ଓ ବଡଗା ଦିଗାଲ(୪୫)। ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ଶୁକ୍ରବାର ଟାଉନ୍‌ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏସ୍‌ଡିପିଓ ମୁର୍ମୁଙ୍କ ସୂଚନା ଅନୁଯାୟୀ, ଗୁରୁବାର ଗୋଚ୍ଛାପଡା ଥାନା ଡ୍ରେସରୁଠାରେ କେତେଜଣ ମାଫିଆ ବିପୁଳ ପରିମାଣ ଗଞ୍ଜେଇ ଚାଲାଣ ପାଇଁ ଠୁଳ କରିଥିବା ସୂଚନା ମିଳିଥିଲା। ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରିଥିଲା। ସେଠାରୁ ୪୧ ବସ୍ତା ଗଞ୍ଜେଇ ଜବତ ହୋଇଥିଲା। ଓଜନ ପରେ ୨ଟନ୍‌ ୨୦ କେଜି ଥିବା ଜଣାପଡିଥିଲା। ଏହି ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ ପାଇଁ ରହିଥିବା ଗିରଫ ଅଭିଯୁକ୍ତମାନେ କହିଛନ୍ତି। ନଂ.୩୫/୨୦ରେ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।