ରାଜଧାନୀରେ ଚାଞ୍ଚଲ୍ୟ: ମା’ଙ୍କୁ ଶାବଳରେ ପିଟି ପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର,୧୭।୯(ବ୍ୟୁରୋ)- ରାଜଧାନୀ ଏୟାରଫିଲ୍ଡ ଥାନା ବେହେରାସାହି ଅର୍କିଡ ଆପାଟମେଣ୍ଟରେ ଗୁରୁବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ହେଲେ ବିନୋଦିନୀ ମିଶ୍ର । ଘରୋଇ କଳିରୁ ଦୁଇ ନାବାଳକ ପୁଅ ବିନୋଦିନୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଖବର ପାଇ ଏୟାରଫିଲ୍ଡ ଥାନା ଅଧିକାରୀ ଦୀପକ ମିଶ୍ର ଏବଂ ସ୍ପେଶାଲ ସ୍କ୍ବାର୍ଡ ଟିମ୍‌ର ଅଧିକାରୀମାନେ ପହଞ୍ଚି ଗାଧୁଆଘରୁ ମୃତଦେହ ଜବତ କରି ବ୍ୟଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ସାଇଣ୍ଟିଫିକ ଟିମ୍‌ ମଧ୍ୟ ଉକ୍ତ ଆପାଟ୍‌ମେଣ୍ଟରେ ପହଞ୍ଚି ଏକାଧିକ ନମୁନା ସଂଗ୍ରହ କରିଛନ୍ତି। ଅପରପକ୍ଷେ ଦୁଇ ନାବାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ମହିଳାଙ୍କ ଘର ପୁରୁଣା ଭୁବନେଶ୍ୱର ହୋଇଥିବା ବେଳେ ଦୁଇ ନାବାଳକ ପୁଅଙ୍କ ସହ ଉକ୍ତ ଆପାର୍ଟମେଣ୍ଟରେ ସେ ଭଡା ନେଇ ରହୁଥିଲେ। ସବୁବେଳେ ବିନୋଦିନୀ ନିଶା ଖାଇ ଦୁଇ ପୁଅଙ୍କୁ ନିର୍ଯାତନା ଦେଉଥିଲେ। ସବୁଦିନ ପରି ବୁଧବାର ରାତିରେ ବିନୋଦିନୀ ନିଶା ପିଇ ୨ ପୁଅଙ୍କୁ ମାରପିଟ କରିଥିଲେ। ଏଥିରେ ସେମାନେ ଉତକ୍ଷିପ୍ତ ହୋଇ ଘରେ ଥିବା ଏକ ସାବଳରେ ମା’ଙ୍କୁ ପିଟି ପିଟି ହତ୍ୟା କରିଥିଲେ। ବିନୋଦିନୀଙ୍କ ମୃତ୍ୟୁ ଘଟିବା ପରେ ତାଙ୍କୁ ବାଥରୁମ୍‌ରେ ଫିଙ୍ଗି ଦେଇ ଘରେ ଥିବା ପୋଷା କୁକୁରକୁ ନେଇ ଫେରାର ହୋଇଯାଇଥିଲେ। ଦୁଇ ଭାଇ ହତ୍ୟା କରିବା ପରେ ଆପାର୍ଟମେଣ୍ଟର ସୁରକ୍ଷା କର୍ମୀଙ୍କୁ ମା’ଙ୍କୁ କେହି ରାତିରେ ଘରେ ପଶି ହତ୍ୟା କରିଥିବା କହିଥିଲେ। ସୁରକ୍ଷାକର୍ମୀଜଣଙ୍କ ସୂଚନା ଦେବାପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଏହାସହ ଉକ୍ତ ଅଞ୍ଚଳରେ ଲୁଚିଥିବା ୨ ଭାଇଙ୍କୁ କାବୁ କରିଥିବା ସୂଚନା ମିଳିଛି।