ଆତଙ୍କ ଖେଳାଇଲା ଦନ୍ତା: ଶିଶୁକନ୍ୟା-ବୃଦ୍ଧଙ୍କ ଜୀବନ ନେଲା

ମୋରଡ଼ା,୩୦।୬ (ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଉପଦ୍ରବ ବର୍ଷ ତମାମ ଲାଗି ରହୁଥିବା ବେଳେ ଜୀବନ ହାନୀର ଘଟଣା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ବୁଧବାର ରାତିରେ ଏକ ଦନ୍ତା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ତଥା ମୋରଡା ବ୍ଲକ ଅନ୍ତର୍ଗତ ହଳଦୀପାଳ ପଞ୍ଚାୟତର ସମାଇଡ଼ିହି ଗ୍ରାମରେ ଆତଙ୍କ ଖେଳାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏପରିକି ଦନ୍ତା ଆକ୍ରମଣରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେହିପରି ବ୍ଲକର ଦୁର୍ଗାପୁର ପଞ୍ଚାୟତର ତାଡିକି ଗ୍ରାମରେ ମଧ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି l

ସୂଚନାନୁଯାୟୀ, ଉକ୍ତ ଗ୍ରାମର ପିତାମ୍ବର ପରମାଣିକଙ୍କ ପରିବାର ଶୋଇଥିବା ବେଳେ ହଠାତ ଏକ ଦନ୍ତା ହାତୀ ପିତାମ୍ବରଙ୍କ ଘର ଉପରେ ଆକ୍ରମଣ କରିଥିଲାl ଭୟରେ ପରିବାରଲୋକେ ବାହାରକୁ ଦୌଡ଼ି ପଳାଇଥିବାବେଳେ ପିତାମ୍ବରଙ୍କ ଝିଅ ଗୁନୁ ପରମାଣିକ (୫) ହାତୀ ହାବୁଡ଼ରେ ପଡିଯାଇଥିଲେ l ହାତୀଟି ଗୁନୁଙ୍କୁ କଚାଡି ଗୋଡ଼ରେ ଦଳି ଜୀବନରୁ ମାରି ଦେଇଥିଲା। ତେବେ ବନବିଭାଗ ହାତୀ ସମ୍ପର୍କରେ ପୂର୍ବରୁ କୌଣସି ଖବର ଦେଇ ନ ଥିବାରୁ ଉକ୍ତ ଘଟଣା ପାଇଁ ସେଠାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି l ଦୁର୍ଗାପୁର ପଞ୍ଚାୟତର ତାଡିକି ଗ୍ରାମରେ ମଧ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଦେବ ଦେହୁରୀ l ଦେବ ଦେହୁରୀ ଘରେ ଶୋଇଥିବା ସମୟରେ ହାତୀ ଘର କାନ୍ଥକୁ ଭାଙ୍ଗିଦେବାରୁ କାନ୍ଥ ବୃଦ୍ଧଙ୍କ ଉପରେ ପଡିଥିବା ଜଣାପଡ଼ିଛି।