ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ଚୌକିପଡ଼ାର ପଙ୍କଜ କୁମାର ସାହୁ (୨୦) ଏବଂ ଗିରିଜା ଶଙ୍କର ସାହୁ (୧୬) ।

ସଦର ଥାନା ଆଇଆଇସି ଶୋଭାକର ସେଠଙ୍କ ​ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଉଭୟ ପଙ୍କଜ ଏବଂ ଗିରିଜା ଇବ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଅସାବଧାନତା ବଶତଃ ସେମାନେ ଗଭୀର ପାଣି ସ୍ରୋତକୁ ଚାଲିଯାଇଥିଲେ ଏବଂ ନଦୀ ଗର୍ଭରେ ବୁଡ଼ି ଯାଇଥିଲେ। ଯୁବକ ଦ୍ଵୟ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନଙ୍କୁ ପାଣିରୁ ବାହାର କରିବା ସହ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଉପସ୍ଥିତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।​

ଖବରପାଇ ସଦର ଥାନା ପୋଲିସ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତଦେହ ଜବତ କରିବା ସହ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ପୋଲିସ ପକ୍ଷରୁ ଦୁଇ ମୃତ ଯୁବକଙ୍କ ଶବକୁ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

 

Dharitri – Odisha’s No.1 Odia Daily

Share