ଦେବଗଡ଼,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଜଣ ଓପିଟିସିଏଲ ଆଉଟସୋର୍ସିଂ କର୍ମଚାରୀ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ ଥାନା ଆମ୍ବକଟାସ୍ଥିତ ୨୨୦/୩୩ କେଭି ଗ୍ରୀଡ୍ ସବ୍ଷ୍ଟେଶନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ହୋଇଥିବା ୨ ଜଣ କର୍ମଚାରୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଲେଖାଏ ପୋଡ଼ିଯାଇଛି। ବାସୁପାଲି ଗ୍ରାମର ଦୀପକ ବେହେରା ଏବଂ ରଞ୍ଜ ଗ୍ରାମର ହିମାଦ୍ରୀ ପ୍ରଧାନଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି। ମରାମତି କାମ ଚାଲିଥିବା ବେଳେ କୌଣସି ସତର୍କତା ଅବଳମ୍ବନ କରାଯାଇନଥିଲା।ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ। ଅସୁରକ୍ଷିତ ଭାବେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିପଦପୂର୍ଣ୍ଣ କାମ କରାଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳାକୁ ପରିବାର ଲୋକେ ଦାୟୀ କରିଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ଦେଖିଥିଲେ। ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରି ଉଚ୍ଚତର ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କଟକସ୍ଥିତ ଅଶ୍ୱିନୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଓପିଟିସିଏଲ୍ର ଅବହେଳା ଯୋଗୁ ୨ ଜଣ ଅସ୍ଥାୟୀ କର୍ମଚାରୀ ମରଣ ସହିତ ସଂଘର୍ଷ କରୁଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହିତ ପରିବାର ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ବିଧାୟକ ଦାବି କରିଛନ୍ତି । ଓପିଟିଏସଲ ଏସ୍ଡିଓ ଘଟଣା ବିଷୟରେ ମୁହଁ ଖୋଲୁ ନ ଥିବାରୁ ତାଙ୍କର ମତାମତ ମିଳିପାରିନାହିଁ।