ଭଞ୍ଜନଗର,୮।୬(ବାବୁଲା ପ୍ରଧାନ): ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ଯୋଗୁ ଦିନକୁ ଦିନ ରାଜ୍ୟର ବିଭିନ୍ନ ରକ୍ତଭଣ୍ଡାରରେ ରକ୍ତ ଅଭାବ ଦେଖାଦେଉଛି। ଏହାର ପ୍ରଭାବରେ ବେଳେ ବେଳେ ରୋଗୀ ମଧ୍ୟ ବିପଦରେ ପଡୁଛନ୍ତି। ଗ୍ରୀଷ୍ମପ୍ରବାହକୁ ଦେଖି ଲୋକେ ରକ୍ତଦାନ କରିବାକୁ ଭୟ କରୁଛନ୍ତି। କିନ୍ତୁ ଅନେକ ସମୟରେ ଯୁବପୀଢ଼ି ରକ୍ତ ଦାନ କରି ସମସ୍ତଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ଅନ୍ୟର ଜୀବନ ମଧ୍ୟ ବଞ୍ଚାଇବାରେ ସହାୟତା ହେଉଛନ୍ତି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଦୁଇ ଜଣ ପ୍ରଶିକ୍ଷଣ ନର୍ସିଂ ଛାତ୍ର ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜଣେ ଅଜଣା ଲୋକର ଜୀବନ ବଞ୍ଚାଇଛନ୍ତି। ରକ୍ତଦାନ କରିଥିବା ଛାତ୍ର ଦ୍ୱୟ ହେଲେ ଭଞ୍ଜ କଲେଜ ଅଫ ନର୍ସିଂର ବିଏସସି ତୃତୀୟ ବର୍ଷ ଛାତ୍ର ଆଦିତ୍ୟ ନାରାୟଣ ପାତ୍ର ଏଂ ଅଭିନାଶ ପଟ୍ଟନାୟକ। ସେମାନେ ଭଞ୍ଜନଗର ମେଡିକାଲରେ ପ୍ରାକ୍ଟିକାଲ କରୁଛନ୍ତି।
ଘଟଣାରୁ ପ୍ରକାଶ ଯେ, ଭଞ୍ଜନଗର ମେଡିକାଲରେ ଜଣେ ଅପରିଚିତ ରୋଗୀ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ରକ୍ତ ଆବଶ୍ୟକ ପଡୁଛି। କିନ୍ତୁ ରକ୍ତଦାତା ମିଳୁନାହାନ୍ତି। ଏନେଇ ଉକ୍ତ ଦୁଇ ଛାତ୍ର ଜାଣିବା ପରେ ରକ୍ତଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
ବ୍ଲଡ ବ୍ୟାଙ୍କ ଇନ ଚାର୍ଜ ସତୀଶ ମୋହନ ପାଢ଼ୀଙ୍କ ଉପସ୍ଥିତିରେ ସେମାନେ ସ୍ବେଚ୍ଛାକୃତ ରକ୍ତ ଦାନ କରିଥିଲେ। ଯାହାକୁ ନେଇ ସେମାନଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି। ଏଥିସହ ମେଡିକାଲ ଅଧିକ୍ଷକ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ମଧ୍ୟ ଉକ୍ତ ଦୁଇ ଛାତ୍ରଙ୍କୁ ଏହିଭଳି ମହାନ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇବା ସହ ଯୁବ ପିଢ଼ିଙ୍କୁ ଏଭଳି ରକ୍ତଦାନ କରିବା ପାଇଁ ଆହ୍ବାନ କରିଛନ୍ତି।