ବରଗଡ଼ରୁ ପୁଣି ୨କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଲା

ବରଗଡ଼ ଅଫିସ,୪।୭: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ଶନିବାର ଜିଲାରେ ପୁଣି ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ହୋଇଥିବାବେଳେ ଅନ୍ୟଜଣେ ପାଇକମାଲ ଅଞ୍ଚଳର। କୁଲୁଣ୍ଡା ଗ୍ରାମର ଆକ୍ରାନ୍ତ ଜଣକ ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିଥିଲା । ସେହିପରି ପାଇକମାଲରୁ ଚିହ୍ନଟ ଆକ୍ରାନ୍ତ ଋଷିଆ ଫେରନ୍ତା ହୋଇଥିବା ବେଳେ ତାଙ୍କୁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଛି।