ଆଉ ୨ ଦିନ ଗରମ, ଗୁଳୁଗୁଳି

ଭୁବନେଶ୍ୱର ୨୭।୫ (ବନ୍ଦନା ସେଠୀ): ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ମଙ୍ଗଳବାର ଗରମ ଓ ଗୁଳୁଗୁଳି ଜାରି ରହିଥିଲା। ୨୦ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଏହା ତଳକୁ ସମ୍ବଲପୁରରେ ୪୪.୪ ଡିଗ୍ରୀ, ହୀରାକୁଦ, ଭବାନୀପାଟଣା ଓ ନୂଆପଡ଼ା ୪୪, ସୋନପୁର ଓ ବୌଦ୍ଧ ୪୩.୮, ଝାରସୁଗୁଡା ୪୩.୪, ବଲାଙ୍ଗୀର ୪୩.୨, ସୁନ୍ଦରଗଡ଼ ଓ ବରଗଡ଼ରେ ୪୨, ନୟାଗଡ଼ ୪୧.୬, ନବରଙ୍ଗପୁରରେ ୪୧.୪, ବାରିପଦା ୪୧.୨, ଖୋର୍ଦ୍ଧା ଓ ମାଲକାନଗିରି ୪୧, ଫୁଲବାଣୀ ୪୦.୯ ଏବଂ ଅନୁଗୋଳରେ ତାପାମାତ୍ରା ୪୦.୧ ଡିଗ୍ରୀ ଛୁଇଁଥିଲା। ଆଉ ୨ଦିନ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିବ ନାହିଁ। ଆସନ୍ତା ୩ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ଓ ଗୁରୁବାର ବୌଦ୍ଧ ଓ ବଲାଙ୍ଗୀର ଜିଲାକୁ ହିଟ୍‌ ଓ୍ବେଭ୍‌ ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ହିଟ୍‌ଓ୍ବେଭ୍‌ ପାଇଁ

ଝାରସୁଗୁଡ଼ାକୁ ଏବଂ ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସମ୍ବଲପୁର, ସୋନପୁର ଓ ବରଗଡ଼ ଜିଲାକୁ ସତର୍କ କରାଯାଇଛି। ଅପରପକ୍ଷେ ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତ୍‌ସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ଜୁନ୍‌ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Share