ଯବାନ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ମୃତ

ମାଲକାନଗିରି,୮ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ସୁକୁମା ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ହାର୍ଡକୋର ମାଓବାଦୀଙ୍କ ସମେତ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ, ସୁକୁମା ଜିଲା ଭେଜି ଥାନା ଅନ୍ତର୍ଗତ ଦନ୍ତେଶ୍ୱର ଜଙ୍ଗଲରେ କିଛି ମାଓବାଦୀ କ୍ୟାମ୍ପ କରି ରହିଥିବା ଗୋଇନ୍ଦା ବିଭାଗରୁ ଖବର ପାଇବା ପରେ ଡିଆରଜି, ସିଆରପିଏଫ୍‌ର ଏକ ଟିମ୍‌ ସେହି ଅଞ୍ଚଳରେ କମ୍ବିଂ ନିମନ୍ତେ ବାହାରିଥିଲା। କମ୍ବିଂ କରିବା ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଜଣେ ମାଓବାଦୀ କମାଣ୍ଡରଙ୍କ ସହିତ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ହୋଇଥିବା ମାଓବାଦୀ କମାଣ୍ଡର ମାଡକାମୀ ଏରା ହୋଇଥିବା ବେଳେ ମହିଳା ମାଓବାଦୀ ପଡ଼ିଆମୀ ଭିମେ ବୋଲି ଜଣାପଡିଛି। ତେବେ ସେଠାରେ ଥିବା ଅନ୍ୟ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇଥିବା ବେଳେ ଯବାନଙ୍କ କମ୍ବିଂ ଅପରେଶନରେ ଏହି ୨ ମାଓବାଦୀଙ୍କ ମୃତ ଶରୀର ଓ ମାଓବାଦୀ ସାମଗ୍ରୀ ମିଳିଥିଲା। ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ କମ୍ବିଂ ଜାରି ରହିଛି।