୨ ହାତୀଦାନ୍ତ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବନ୍ୟପ୍ରାଣୀ ଚାଲାଣକାରୀଙ୍କୁ ଗିରଫ କରିଛି। ସେ ହେଲେ କନ୍ଧକୋଇଲି ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନ। ତାଙ୍କଠାରୁ ୪ କେଜି ୫୦୦ ଗ୍ରାମର ୨ଟି ହାତୀଦାନ୍ତ ଜବତ କରାଯାଇଛି। ସେ ହାତୀ ଦାନ୍ତ ରଖିବା ସଂକ୍ରାନ୍ତ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନ ଥିଲେ। ତେଣୁ ତାଙ୍କୁ ଗିରଫ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁଗୋଳ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ତେବେ ସେ କୌଣସି ହାତୀକୁ ଶିକାର କରିଥିଲେ କି, ଉକ୍ତ ଦାନ୍ତ କାହାକୁ ଦେଇଥାନ୍ତେ, ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏଭଳି ବିଭିନ୍ନ ଦିଗକୁ ନେଇ ଏସ୍‌ଟିଏଫ୍‌ ଓ ବନବିଭାଗ ମିଳିତ ତଦନ୍ତ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ୨୦୨୦ ମସିହାରୁ ଏଯାବତ୍‌ ୨୬ଟି ହାତୀ ଦାନ୍ତ ଜବତ କରାଯାଇଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲାରେ ଥିବା ଜଙ୍ଗଲରେ ହାତୀ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇ ଆସୁଛି। ଅଭିଯୁକ୍ତ ଦୁର୍ଯ୍ୟୋଧନ ହାତୀଦାନ୍ତ ଚୋରାଚାଲାଣ କରୁଥିବା ଏସ୍‌ଟିଏଫ୍‌ ସୂଚନା ପାଇଥିଲା। ତେଣୁ ତାଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ଯୋଜନା କରିଥିଲା। ବୁଧବାର ବିଳମ୍ବିତ ରାତିରେ ଦୁର୍ଯ୍ୟୋଧନ ତାଙ୍କ ଗ୍ରାମ କନ୍ଧକୋଇଲି ନିକଟରେ ହାତୀଦାନ୍ତ ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏସ୍‌ଟିଏଫ୍‌ ଓ ବନ ବିଭାଗର ମିଳିତ ଟିମ୍‌ ସେଠାରେ ଚଢ଼ାଉ କରି ତାଙ୍କୁ କାବୁ କରିଥିଲେ। ଯାଞ୍ଚ ପରେ ତାଙ୍କଠାରୁ ଦୁଇଟି ହାତୀଦାନ୍ତ ମିଳିଥିଲା।