ଦୋଳଯାତ୍ରାରେ ବୁଲିଲା ଖଣ୍ଡା: ୨ ଆହତ

ଅନୁଗୋଳ, ୨୯।୩: ଅନୁଗୋଳ ଜିଲା ସଦର ଥାନା କୁଶାସିଂହା ଗାଁରେ ରବିବାର ଦୋଳଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କ ମଧ୍ୟରେ ଜଣେ କୁଶାସିଂହା ଗାଁର ସାଗର ଦାସ ଓ ଅନ୍ୟଜଣେ ସେହି ରାସ୍ତା ଦେଇ ଆସୁଥିବା ବାଟୋଇ ବୋଲି ଜଣାପଡିଛି ।
ସୂଚନାନୁସାରେ, ଗାଁରେ ଦୋଳଯାତ୍ରା ଚାଲିଥିବା ବେଳେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ମଧ୍ୟ ଯୋଗ ଦେଇଥିଲେ। ସେଠାରୁ ବିଧାୟକ ଫେରୁଥିବା ବେଳେ ତାଙ୍କ ସହ ଗାଁର ସାଗର ଦାସଙ୍କ ସମେତ ଆଉ କିଛି ବ୍ୟକ୍ତି ମଧ୍ୟ ଥିଲେ। ସେମାନେ ଗାଁ ମୁଣ୍ଡରେ ହୋଇଥିବା ବେଳେ ୪-୫ ଜଣ ଦୁର୍ବୃତ୍ତ ହଠାତ ଖଣ୍ଡା ଧରି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସାଗର ଦାଶଙ୍କ ବେକ ପାଖରେ ଆଘାତ ଲାଗିଥିବା ବେଳେ ସେହି ରାସ୍ତା ଦେଇ ଆସୁଥିବା ଅନ୍ୟ ଜଣେ ଯୁବକଙ୍କ ହାତରେ ସାମାନ୍ୟ ଆଘାତ ଲାଗିଥିଲା । କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ତେବେ ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ରହିଥିବା ଅନୁମାନ କରାଯାଉଛି। କରଡାଗାଡିଆର ଜଣେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ କରିବାକୁ ଦୁର୍ବୃତ୍ତମାନେ ଯାଇଥିବା ସୂଚନା ମିଳିଛି । ଏ ନେଇ ଅନୁଗୋଳ ସଦର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।