ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଓଡିଶୀ ନୃତ୍ୟଗୁରୁ ସସ୍ମିତା ପଣ୍ଡା ।

ରାୟଗଡା ଜିଲା ତଥା ଓଡ଼ିଶାର ସୁନାମଧନ୍ୟ ନୃତ୍ୟଶିଳ୍ପୀ ଭାବେ ବେଶ ସୁନାମ ଅର୍ଜନ କରି, ଶହ ଶହ ପିଲାଙ୍କୁ ଓଡିଶୀ ନୃତ୍ୟ ଶିକ୍ଷା ଦେଇ ସେ ରାୟଗଡା ତଥା ଗୁଣପୁର ଅଞ୍ଚଳରେ ଘରେ ଘରେ ପରିଚିତ ଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସସ୍ମିତା ପଣ୍ଡା, ଆଉ ନାହାନ୍ତି ବୋଲି ଜାଣିବା ପରେ ସମଗ୍ର ରାୟଗଡା ଜିଲାରେ ଶୋକର ଛାୟା ଖେଳିଯାଇଛି ।

ସୂଚନାଯୋଗ୍ୟ ସସ୍ମିତା ପଣ୍ଡାଙ୍କ ନୃତ୍ୟ ଅନୁଷ୍ଠାନର ଅଡିଟ ପାଇଁ କଲିକତାରୁ ଜଣେ ଓ ଓଡିଶାର ଜଣେ ଅଡିଟର ଆସିଥିଲେ । ବୁଲିବା ପାଇଁ ସସ୍ମିତା ଦୁଇ ଜଣଙ୍କୁ ସ୍କୁଟିରେ ଶେଫାଳି ପାହାଡ଼କୁ ନେଇଥିଲେ । ରାମେଶ୍ବର ଦର୍ଶନ ସାରି ଫେରିବା ବାଟରେ ବ୍ରେକ ଫେଲ ହୋଇ ଥିଲା । ତଳକୁ ଆସିବା ବେଳେ ସେ ଚିତ୍କାର କରିଥିଲେ । ଗାଡିଟି ଏକ କରେଣ୍ଟ ପୋଲକୁ ଗାଡି ଧକା ହୋଇଥିଲା । ରାତି ପ୍ରାୟ ୮ଟା ୩୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସେଠାରେ ଉପସ୍ଥିତ ଥିବା କିଛି ଵ୍ୟକ୍ତି ସେମାନଙ୍କୁ ଉଦ୍ଧାର କରି ଗୁଣପୁର ମେଡିକାଲକୁ ଆମ୍ବୁଲାନ୍ସରେ ନେଇଥିଲେ । ଘଟଣାସ୍ଥଳରେ ହିଁ ଓଡିଶା ଅଡିଟରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଅଡିଟର ଆହତ ହୋଇଛନ୍ତି । ସସ୍ମିତା ପଣ୍ଡାଙ୍କୁ ଗଭୀର ଆଘାତ ଲାଗିଥିବା କାରଣରୁ ତାଙ୍କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ରେଫର ହୋଇଥିଲା ।
ବାଟରେ ପାରଳାଖେମୁଣ୍ଡି ପାଖରେ ଶରୀର ନିଷ୍କ୍ରିୟ ହୋଇଯିବା କାରଣରୁ, ପାରଳାଖେମୁଣ୍ଡି ମେଡିକାଲରେ ପୁଣି ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କଲେ । କୋଲକାତା ଅଡିଟର ବର୍ତ୍ତମାନ ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି ।

ସୁଶ୍ରୀ ସସ୍ମିତାଙ୍କ ଘର ଭଦ୍ରକର ବାସିନ୍ଦା ହୋଇଥିବା ବେଳେ, ତାଙ୍କ ଭାଇ, ବାପା, ଦାଦା ପାରଳାଖେମୁଣ୍ଡି ଆସୁଥିବା ସୂଚନା ରହିଛି । ତାଙ୍କ ଶେଷକୃତ୍ୟ କେଉଁଠାରେ ହେବ ସେନେଇ ସ୍ପଷ୍ଟ ହୋଇପାରି ନାହିଁ ।

 

Dharitri – Odisha’s No.1 Odia Daily