୨ ହୋମଗାର୍ଡ ବହିଷ୍କୃତ, ଜଣେ ଓଏପିଏଫ୍‌ ନିଲମ୍ବିତ

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜଧାନୀରେ ଜଣେ ନାବାଳକ ଚା’ ଦୋକାନୀଙ୍କୁ ପୋଲିସର ଗୋଇଠା ମାଡ଼ ଓ ଜିନିଷପତ୍ର ଲୁଟିନେବା ଘଟଣାରେ ଡିସିପି ଉମାଶଙ୍କର ଦାଶ ପିସିଆର୍‌ରେ ଥିବା ସମ୍ପୃକ୍ତ ୪ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନାବାଳକଙ୍କୁ ମାଡ଼ ମାରିଥିବା ହୋମଗାର୍ଡ ଅଜୟ କୁମାର ବିଶ୍ୱାଳଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏଥିସହ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ହୋମ୍‌ଗାର୍ଡଙ୍କୁ ବହିଷ୍କାର ଏବଂ ଓଏପିଏଫ୍‌ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେହିପରି ପିସିଆର୍‌ରେ ଥିବା ଜଣେ ଏସ୍‌ପିଓ(ସ୍ପେଶାଲ ପୋଲିସ ଅଫିସର)ଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ରବିବାର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର୍‌) ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଥିଲେ। ୭ଦିନ ଭିତରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୂଚନାଯୋଗ୍ୟ, ଶହୀଦନଗର ଥାନା କେଶୁରା ଅଞ୍ଚଳରେ ଜୁଲାଇ ୨୯ରେ ଏକ ଚା’ ଦୋକାନ ଖୋଲା ରହିଥିଲା। ଲକଡାଉନ ସମୟରେ ଦୋକାନ ଖୋଲାଥିବା ଦେଖି ପିସିଆର୍‌ ଭ୍ୟାନ୍‌ରେ ୩ଜଣ ପୋଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ସେମାନେ ଦୋକାନ ଭିତରେ ପଶି କ୍ଷୀର, ପାଉଁରୁଟି ଆଦି ବିଭିନ୍ନ ଜିନିଷ ବସ୍ତାରେ ପୂରାଇ ନେଇଯାଉଥିଲେ। ଏହି ସମୟରେ ଦୋକାନରେ ଥିବା ନାବାଳକ ଜଣକ ଏହାକୁ ବିରୋଧ କରିଥିଲେ। ହୋମଗାର୍ଡ ଅଜୟ ଉକ୍ତ ନାବାଳକଙ୍କୁ ନିସ୍ତୁକ ଗୋଇଠା ମାରିଥିଲେ। ପରେ ଦୋକାନରୁ ଜିନିଷ ନେଇ ପଳାଇଯାଇଥିଲେ। କରୋନା କଟକଣା ଆଳରେ ପୋଲିସର ଏଭଳି ଅମାନବୀୟ କାଣ୍ଡର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ବିଭିନ୍ନ ମହଲରେ ଏହାକୁ ଦୃଢ ନିନ୍ଦା କରାଯାଇଥିଲା। ପରେ ସମ୍ପୃକ୍ତ ହୋମଗାର୍ଡଙ୍କୁ ଡିସିପି ଉମାଶଙ୍କର ଦାଶ ନିଲମ୍ବିତ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲେ।