ବୁଡ଼ିଗଲେ ୨ ସାଙ୍ଗ

ରାୟଗଡ଼ା ଅଫିସ,୨୪ା୪: ପ୍ରବଳ ଗରମରୁ ସାମାନ୍ୟ ନିସ୍ତାର ପାଇବା ପାଇଁ ସାଙ୍ଗମାନଙ୍କ ସହ ସନ୍ଧ୍ୟାରେ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗଭୀର ଜଳରେ ବୁଡ଼ିଯାଇ ୨ ନାବାଳକଙ୍କ ଜୀବନ ଚାଲିଯାଇଛି। ରାୟଗଡ଼ା ଜିଲା ତୁମ୍ବିଗୁଡ଼ାରେ ଏଭଳି ଘଟଣା ଘଟିଛି। ଦୁଇ ମୃତକ ହେଲେ ତୁମ୍ବିଗୁଡ଼ାର ଆକାଶ ଚୌଧୁରୀ ଏବଂ ଆଦିତ୍ୟ ନାୟକ।

ସୂଚନା ଅନୁଯାୟୀ, ତୁମ୍ବିଗୁଡ଼ା କଲୋନୀରୁ ୧୦ ସାଙ୍ଗ ମିଶି ନିକଟସ୍ଥ ତୁଠକୁ ଗାଧୋଇବାକୁ ଯାଇଥିଲେ। ହେଲେ ଆକାଶ ଏବଂ ଆଦିତ୍ୟ ବୁଡ଼ିଯାଇଥିଲେ। ଏହା ଦେଖି ଅନ୍ୟ ସାଙ୍ଗମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ଏହାପୂର୍ବରୁ ଗ୍ରାମବାସୀ ଉଭୟଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ରାୟଗଡ଼ା ଟାଉନ ଥାନା ଅଧିକାରୀ ରଶ୍ମିରଞ୍ଜନ ନାୟକ କହିଛନ୍ତି। ମୃତ ଆଦିତ୍ୟଙ୍କ ଘର କାଶୀପୁର ବ୍ଲକ ଘରକପୁର ଗ୍ରାମରେ। ସେ ତୁମ୍ବିଗୁଡ଼ାରେ ରହି ରାୟଗଡ଼ାର ଏନ୍‌ଭିଆର୍‌ ସ୍କୁଲରେ ୧୦ମ ଶ୍ରେଣୀରେ ପଢ଼ୁଥିଲେ।