ଶିମିଳିପାଳ,କୁଲଡିହାରେ୨ ହାତୀ ମୃତ

ବାରିପଦା ଅଫିସ/ନୀଳଗିରି,୧୩ା୪(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ଶିମିଳିପାଳ ଓ ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ୨ ହାତୀଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ କପ୍ତିପଦା ରେଞ୍ଜ ରାଇପାଲ ବିଟ୍‌ ଶାରୀଶୁଆ ସେକ୍ସନ ପଦ୍ମପୋଖରୀ ଅଞ୍ଚଳରୁ ବୁଧବାର ବନ ବିଭାଗ ଏକ ଦନ୍ତାହାତୀର ମୃତଦେହ ଠାବ କରିଛି। ମୃତ ହାତୀର ବୟସ ୧୦ରୁ ୧୫ବର୍ଷ ହେବ। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଜୋଷୀ କହିଛନ୍ତି। ଖବରପାଇ ବନଖଣ୍ଡ ଅଧିକାରୀ ଜୋଷୀ, ଏସିଏଫ୍‌ ଡି.କେ.ବାରିକ, କପ୍ତିପଦା ରେଞ୍ଜର ଅଚ୍ୟୁତାନନ୍ଦ ଦାଶ, ପ୍ରାଣୀ ଚିକିତ୍ସକ ଓ ରେଞ୍ଜର କର୍ମଚାରୀମାନେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ପିଠାବଟା ରେଞ୍ଜ ବାଲିଖାନ ସେକ୍ସନ ଗୋପୀନାଥପୁର ବିଟ୍‌ ଅଞ୍ଚଳରୁ ଫେବୃୟାରୀ ୯ତାରିଖରେ ଶିକାରୀମାନେ ଏକ ଦନ୍ତାହାତୀର ଦାନ୍ତ ସହ ଶୁଣ୍ଢ କାଟିନେବା ଘଟଣାର ଠିକ୍‌ ମାସକ ପରେ ପୁଣି ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଜବତ କରିଛି। ଏହାକୁ ନେଇ ପ୍ରାଣୀପ୍ରେମୀମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ବନ ବିଭାଗର କାର୍ଯ୍ୟକଳାପକୁ ନେଇ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ା
କୁଲଡ଼ିହା ଅଭୟାରଣ୍ୟର ଝରଣାଘାଟି ସେକ୍ସନ ପୁରୁଣାପାଣି ବିଟ୍‌ ଡାଙ୍ଗରପୋଖରୀ ନିକଟ ଜଙ୍ଗଲ ଭିତରେ ଏକ ଅଣ୍ଡିରା ଛୁଆହାତୀର ମୃତଦେହ ଠାବ କରାଯାଇଛି। ଛୁଆହାତୀର ବୟସ ୧୦ବର୍ଷ ହେବ। ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଠାବକରି ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ବାଲେଶ୍ୱର ଡିଏଫ୍‌ଓ ଖୁସବନ୍ତ ସିଂହ, କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା, ସ୍ଥାନୀୟ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚତ୍ ହାତୀ ମୃତ୍ୟୁର ପ୍ରାଥମିକ ଅନୁସନ୍ଧାନ କରିଥିଲେ। ଏହି ଅଣ୍ଡିରା ହାତୀ ଛୁଆଟି ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଗୁରୁବାର ଟାସ୍କଫୋର୍ସ ଓ ପ୍ରାଣୀ ଚିକିତ୍ସକ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ, ଗତ ୧୪ ମାସ ଭିତରେ କୁଲଡ଼ିହା ଅଭୟାରଣ୍ୟରେ ୮ଟି ହାତୀଙ୍କ ମୃତ୍ୟୁ ହେଲାଣି।