ଦୋଳବିମାନ ଉପରକୁ ମାଡ଼ିଗଲା ଗାଡ଼ି: ୨ ମୃତ, ୬ ଆହତ

କେନ୍ଦ୍ରାପଡ଼ା ଅଫିସ, ୧୩ା୩: ଦୋଳବିମାନ କାନ୍ଧେଇ ଯାଉଥିବା ଲୋକଙ୍କ ଉପରକୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମାଡ଼ିଯିବା ଯୋଗୁ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ମେଡିକାଲରେ ଚିକିତ୍ସା କରାଯାଉଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଯମଧର ଓମଫେଡ୍‌ ଛକରେ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। କେନ୍ଦ୍ରାପଡ଼ାଠାରୁ ପ୍ରାୟ ୧୦ କିଲୋମିଟର ଦୂର ବାଲିଆ ବଜାରର ଦୋଳ ମେଳଣ ଉତ୍ସବରେ ଏହି ବିମାନଟି ସାମିଲ ହୋଇଥିଲା। ଦୁର୍ଘଟଣା ପରେ ବାଲିଆ ବଜାର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗତ ନଭେମ୍ବରରେ ବାଲିଆ ବଜାରର କାର୍ତ୍ତିକେଶ୍ୱର ମେଳଣ ଉତ୍ସବରେ ବାଣ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ସହ ଶତାଧିକ ଆହତ ହୋଇଥିଲେ। ଏବେ ପୁଣି ଦୋଳ ମେଳଣ ଉତ୍ସବ ଚାଲିଥିବାବେଳେ ଅଘଟଣ ଘଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବାଲିଆ ବଣହରା ଗ୍ରାମର ଜୟନ୍ତ କୁମାର ଅଧିକାରୀଙ୍କ ଏହି ବିମାନ ରାତି ପ୍ରାୟ ଗୋଟାଏରେ ଉତ୍ସବ ସରିବା ପରେ ଦୋଳମେଳଣ ସ୍ଥାନରୁ ଫେରୁଥିଲା। ଏହି ସମୟରେ ଏକ ମାଛ ବୋଝେଇ ପିକଅପ୍‌ ଭ୍ୟାନ୍‌ (ଓଡି ୦୫ ଏଆର୍‌ ୯୩୦୯) ପଛପଟୁ ଆସି ଧକ୍କା ଦେଇଥିଲା। ଫଳରେ ଦୋଳବିମାନ ଭାଙ୍ଗିଯିବା ସହ ତାହାକୁ କାନ୍ଧେଇଥିବା ନିକଟସ୍ଥ ବଡ଼ଗଁାର ସୋମନାଥ ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏଥିସହ ଅଧିକାରୀସାହି ମଠମୁଖ୍ୟଙ୍କ ପୁଅ ଅଧିକାରୀ ଦିବ୍ୟଜ୍ୟୋତି ଦାସଙ୍କର କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ଦିବ୍ୟଜ୍ୟୋତି ମଧ୍ୟ ବିମାନ କାନ୍ଧେଇଥିଲେ। ଗୁରୁତର ୬ ଜଣଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଛାଡ଼ି ଚାଳକ ଫେରାର ହୋଇଯାଇଛନ୍ତି। ଏ ସମ୍ପର୍କରେ ସଦର ଥାନାଧିକାରୀ ସରୋଜ କୁମାର ସାହୁ କହିଛନ୍ତି, ପିକ୍‌ଅପ୍‌ ଭ୍ୟାନକୁ ଜବତ କରାଯାଇଛି। ୨ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏଥିସହ ଏକ ଅପମୃତ୍ୟୁ ମାମଲା(ନଂ.୨୩୦/୨୩) ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ କହିଛନ୍ତି।