ସମୁଦ୍ରକୁ ଗଲେ ୨ କୋଟି କଇଁଛ ଶାବକ

ରାଜନଗର, ୧୫ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥାରେ ୫ ଦିନ ହେଲା ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି। ଗାତରୁ ବାହାରି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଶାବକ ସମୁଦ୍ରକୁ ଯାଇ ବିଚରଣ କରୁଛନ୍ତି। ୫ ଦିନ ମଧ୍ୟରେ ୨ କୋଟି ୨ ଲକ୍ଷ ୨୪ ହଜାର କଇଁଛ ଶାବକ ସମୁଦ୍ରକୁ ଯାଇସାରିଲେଣି। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଗତ ୧୦ ତାରିଖରେ ୫୩ ଲକ୍ଷ ୭୬ ହଜାର କଇଁଛ ଶାବକ ଗାତରୁ ବାହାରି ସମୁଦ୍ରକୁ ଯାଇଥିବାବେଳେ ୧୧ରେ ୬୦ ଲକ୍ଷ ୮୦ ହଜାର, ୧୨ ତାରିଖରେ ୫୮ ଲକ୍ଷ ୮୮ ହଜାର, ୧୩ରେ ୨୫ ଲକ୍ଷ ୬୦ ହଜାର ଓ ୧୪ ତାରିଖ ସକାଳେ ୩ ଲକ୍ଷ ୨୦ ହଜାର କଇଁଛ ଶାବକ ସମୁଦ୍ରକୁ ଯାଇଛନ୍ତି। ଭୋର ଏବଂ ଅପରାହ୍ନ ସମୟରେ କଇଁଛ ଶାବକ ଗାତରୁ ବାହାରି ସିଧା ସମୁଦ୍ରକୁ ଯାଉଛନ୍ତି। ଏହି ସମୟରେ କଇଁଛ ଛୁଆଙ୍କୁ କୁକୁର, ବିଲୁଆ ଓ ଶିକାରୀ ପକ୍ଷୀମାନେ ଖାଇଦେବାର ଆଶଙ୍କା ଥିବାରୁ ବନ ବିଭାଗ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି ଗହୀରମଥାର ନାସୀ-୨ରେ ପହଞ୍ଚତ୍ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। କଇଁଛ ଶାବକ ଗାତରୁ ବାହାରି ଯେପରି ଏଣେତେଣେ ନ ଯାଆନ୍ତି କିମ୍ବା କୌଣସି ବନ୍ୟଜନ୍ତୁ ଏ ଅଞ୍ଚଳକୁ ନ ଆସନ୍ତି ସେଥିପାଇଁ ୨ କିମି ୪୦୦ ମିଟର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଚଳିତବର୍ଷ ମାର୍ଚ୍ଚ ଶେଷ ସପ୍ତାହରେ ନାସୀ-୨ରେ ୫ ଲକ୍ଷ ୧ ହଜାର ୧୪୭ ଅଲିଭ ରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିଲେ। ସନ୍ଧ୍ୟା ସମୟରେ ମା’ କଇଁଛଗୁଡ଼ିକ ବେଳାଭୂମିର ବାଲୁକା ଶଯ୍ୟାରେ ୪୦ରୁ ୪୫ ସେମିର ମାଠିଆ ଆକୃତିର ଗାତ ଖୋଳି ଅଣ୍ଡାଦାନ କରିଥିଲେ। ପ୍ରତି କଇଁଛ ୧୦୦ରୁ ୧୮୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ଅଣ୍ଡାଦାନ ପରେ ମା’ କଇଁଛ ଗାତକୁ ବାଲିରେ ଘୋଡ଼ାଇ ଚାଲିଯାଇଥାଏ। ଅଣ୍ଡାଦାନର ୪୫ରୁ ୬୦ ଦିନ ମଧ୍ୟରେ ଅଣ୍ଡା ଫୁଟି ସେଥିରୁ ଛୁଆ ବାହାରିଥାନ୍ତି। ଗତ ୫ଦିନ ହେଲା ଅଲିଭ ରିଡ୍‌ଲେ ଶାବକ ଗାତରୁ ବାହାରି ସିଧା ସମୁଦ୍ରକୁ ଯାଉଛନ୍ତି।