ଭୁବନେଶ୍ୱର ସ୍ମାର୍ଟସିଟିକୁ ୨ଟି ପୁରସ୍କାର

ଭୁବନେଶ୍ୱର,୨୬।୬(ବ୍ୟୁରୋ): କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍ମାର୍ଟସିଟି ଆଓ୍ବାର୍ଡସ କଣ୍ଟେଷ୍ଟ (ଆଇଏସ୍‌ଏସି)-୨୦୨୦ ପ୍ରତିଯୋଗିତାରେ ଭୁବନେଶ୍ୱର ସ୍ମାର୍ଟସିଟିକୁ ଦୁଇଟି ପୁରସ୍କାର ମିଳିଛି। ‘ସୋସିଆଲି ସ୍ମାର୍ଟ ଭୁବନେଶ୍ୱର’ ପାଇଁ ସାମାଜିକ ପର୍ଯ୍ୟାୟ ବର୍ଗରେ ଦେଶରେ ରାଜଧାନୀ ଭୁବନେଶ୍ୱରକୁ ଦ୍ୱିତୀୟ ସ୍ଥାନ ମିଳିଥିବା ବେଳେ ଗଭର୍ନାନ୍ସ ପର୍ଯ୍ୟାୟରେ ମୋବାଇଲ ଫୋନ୍‌ ଆପ୍ଲିକେଶନ ‘ଭୁବନେଶ୍ୱର ମି’ ପାଇଁ ତୃତୀୟ ସ୍ଥାନ ହାସଲ କରିଛି। ସାମାଜିକ ପର୍ଯ୍ୟାୟ ବର୍ଗରେ ତିରୁପତି ପ୍ରଥମ ଓ ତୁମାକୁରୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ଗଭର୍ନାନ୍ସ ପର୍ଯ୍ୟାୟରେ ଭଦୋଦରା ଏବଂ ଥାଣେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ୧୦୦ଟି ସ୍ମାର୍ଟସିଟି ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ଖୁସିବ୍ୟକ୍ତ କରି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ କହିଛନ୍ତି, ଆଗାମୀ ଦିନରେ ଆହୁରି ଅନେକ ଅଭିନବ ନାଗରିକ କୈନ୍ଦ୍ରିକ ସେବା ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ସ୍ମାର୍ଟସିଟି ପ୍ରକଳ୍ପ କାର୍ଯ୍ୟ ଆହୁରି ତ୍ୱରାନ୍ବିତ କରାଯିବ। ଆଗାମୀ ଦିନରେ ଆମେ ଆହୁରି ଅନେକ ପୁରସ୍କାର ପାଇବାକୁ ଯୋଗ୍ୟବିବେଚିତ
ହେବୁ ବୋଲି ସେ କହିଛନ୍ତି।