ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟ ମାମଲା: ଗିରଫ ହେଲେ ଯୁବତୀଙ୍କ ସହ ପୁରୁଷବନ୍ଧୁ

ବଲାଙ୍ଗୀର ଅଫିସ,୧୦।୯: ବଲାଙ୍ଗୀର ସହର ସାଗର କଲୋନୀର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଭଡା ରହିବାକୁ ଆସି ଯୁବତୀଙ୍କ ସହ ତାଙ୍କର ପୁରୁଷବନ୍ଧୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ତରଭା ଅଞ୍ଚଳର ସମ୍ପୃକ୍ତା ଯୁବତୀ ମୃଦୁ ପାନୀୟରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଶା ଦେଇ ଅଶ୍ଳୀଳ ଫଟୋ ଓ ଭିଡିଓ କରି ବ୍ଳାକମେଲ କରୁଥିଲେ। ଏହି ଘଟଣା ପରେ ଅବସରପ୍ରାପ୍ତ ଶିକ୍ଷକ ଜଣକ ମାନସିକ ଚାପରେ ରହିଥିବା ପରିବାର ଲୋକେ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପରେ ପୋଲିସ ଏହି ଘଟଣାରେ ସୁବର୍ଣ୍ଣପୁର ଜିଲା ତରଭା ଅଞ୍ଚଳର ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏପରିକି ପୋଲିସ ଅଭିଯୁକ୍ତା ଓ ପୀଡ଼ିତ ଶିକ୍ଷକଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ମେଡିକାଲ ପରୀକ୍ଷା କରାଯାଇଛି । ପରେ ପୋଲିସ ଅଭିଯୁକ୍ତା ଲଳିତା ବାରିକ ଓ ବିଶାମିତ୍ର ନାୟକଙ୍କୁ ଗିରଫ କରିଛି। ଟାଉନ ଥାନାରେ ହୋଇଥିବା ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ତୋଫାନ ବାଗ ଏହି ସୂଚନା ଦେଇଛନ୍ତି।