ଆଉଏକ ର଼୍ୟାକେଟ୍‌ର ୨ ଗିରଫ

ଭୁବନେଶ୍ୱର,୬।୩(ବ୍ୟୁରୋ):ରାଜଧାନୀରେ ଏକାଧିକ ଜମି ଠକେଇ ର଼୍ୟାକେଟ ସକ୍ରିୟ ରହିଛନ୍ତି। ନକଲି ମାଲିକ ଓ ଜାଲ ଦସ୍ତାବିଜ୍‌ରେ ଜମି ବିକ୍ରି କରି ବିପୁଳ ଟଙ୍କା ଠକି ନେଉଛନ୍ତି। ନିକଟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହିପରି ଏକ ର଼୍ୟାକେଟକୁ ଠାବ କରିବା ସହ ୫ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଆଉଏକ ର଼୍ୟାକେଟ ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ସନ୍ଧାନ ପାଇଛି। ଏହି ର଼୍ୟାକେଟରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଭୁବନେଶ୍ୱରରେ ରହୁଥିବା କଟକ ଜିଲା ଆଠଗଡ଼ସ୍ଥିତ ମଞ୍ଜରୀପଡ଼ାର ଆଦିତ୍ୟ ସାହୁ ଓ କଟକ ଖାନନଗର ଥାନା ଅଞ୍ଚଳରେ ରହୁଥିବା ଜଗତ୍‌ସିଂହପୁର ଜିଲା ରାହାମା ଅଞ୍ଚଳର ସବିତା ଦାସ। ଅଭିଯୁକ୍ତଦ୍ୱୟଙ୍କୁ ରବିବାର କୋର୍ଟଚାଲାଣ କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ବାରଙ୍ଗସ୍ଥିତ ବାଛପୁର ଅଞ୍ଚଳର ୭୫ ବର୍ଷୀୟା ବୃଦ୍ଧା ରଙ୍ଗଲତା ସ୍ବାଇଁଙ୍କର ସ୍ଥାନୀୟ ଅଞ୍ଚଳରେ ଏକ ସାଢ଼େ ୪ ଏକର ଜମି ରହିଛି। ଅଭିଯୁକ୍ତମାନେ ଉକ୍ତ ଜମିକୁ ନକଲି ମାଲିକ ଓ ଜାଲ ଦସ୍ତାବିଜ୍‌ରେ ବିକି ୨୫ଲକ୍ଷ ଠକି ନେଇଛନ୍ତି। ସେମାନେ ଅଭିଯୁକ୍ତା ସବିତାଙ୍କୁ ରଙ୍ଗଲତା ବୋଲି ଦର୍ଶାଇ ଠକେଇ ଯୋଜନା କରିଥିଲେ। ରଙ୍ଗଲତାଙ୍କ ପାନ୍‌ କାର୍ଡ, ଆଧାର କାର୍ଡ ଓ ଜମି ପଟା ଆଦିକୁ ନକଲ କରିଥିଲେ। ୨୦୨୧ରେ ଶୈଳେଶ୍ରୀ ବିହାରର ସ୍ବସ୍ତିରଞ୍ଜନ ପାଣିଗ୍ରାହୀଙ୍କୁ ଦେଖାକରି ସବିତାଙ୍କୁ ରଙ୍ଗଲତା ବୋଲି ପରିଚୟ କରାଇଥିଲେ। ୨ କୋଟି ଟଙ୍କାରେ ସ୍ବସ୍ତିରଞ୍ଜନ ଉକ୍ତ କିଣିବାକୁ କଥା ଛିଡ଼ିଥିଲା। ଏଥିପାଇଁ ସେ ଅଭିଯୁକ୍ତଙ୍କୁ ୨୫ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ସ୍ବସ୍ତୀରଞ୍ଜନ ଠକେଇର ଶିକାର ହୋଇଥିବା ଜାଣି ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଶୁକ୍ରବାର ଏକ ମାମଲା (ନଂ.୮/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ର଼୍ୟାକେଟର ସଦସ୍ୟମାନେ ଏଭଳି ବିଭିନ୍ନ ଲୋକଙ୍କୁ ଠକିଥିବା ଇଓଡବ୍ଲ୍ୟୁ ପ୍ରମାଣ ପାଇଛି। ତେଣୁ ଠକେଇର ଶିକାର ହୋଇଥିବା ଲୋକେ ଟୋଲ ଫ୍ରି ନଂ. ୧୮୦୦୩୪୫୭୧୦୩ ଯୋଗେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଇଓଡବ୍ଲ୍ୟୁ ପକ୍ଷରୁ ଅପିଲ କରାଯାଇଛି।