ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ କରିଥିବା ୨ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଶୁକ୍ରବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବଲାଙ୍ଗୀର ସମୀର ବଡ଼ମାଲି ଏବଂ ରାଜୁ ସାହୁ। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ କନ୍ଧମାଳ ଜିଲା ଗୋଛାପଡ଼ା ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

ସୂଚନା ଯୋଗ୍ୟ, ଗୁରୁବାର ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଓପିଡିକୁ ଆଣିଥିଲେ। ସେଠାରେ ଦୁଇଜଣ ମହିଳା ଡାକ୍ତର ଓ ଜଣେ ଆଟେଣ୍ଡାଣ୍ଟଙ୍କ ଉପସ୍ଥିତିରେ ସମ୍ପୃକ୍ତା ମହିଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ମହିଳାଙ୍କ ଗର୍ଭପାତ ହୋଇଯାଇଥିବା ଜଣାପଡିଥିଲା। ସେତେବେଳେ କର୍ତ୍ତବ୍ୟରତ ହାଉସ ସର୍ଜନ ସାହୁ ମଧ୍ୟ ସମ୍ପୃକ୍ତା ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କଥାକୁ ନେଇ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ କୁଆଡେ ଆପତ୍ତି ଉଠାଇଥିଲେ। ମହିଳାଙ୍କ ଗୋପନୀୟତା ଭଙ୍ଗ କରାଯାଇଥିବା ଅଭିଯୋଗ କରିଥିଲେ।

ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଯୁବକ ଓ ଅନ୍ୟ ଜଣେ ଏକ ବାଇକରେ ହସ୍ପିଟାଲଠାରୁ ପ୍ରାୟ ୫ କିଲୋମିଟର ଦୂର ଲାଲଟିକ୍ରା ଗ୍ରୀଡ ପାଖରେ ଜଗି ରହିଥିଲେ। ହାଉସ ସର୍ଜନ ସାହୁ ସନ୍ଧ୍ୟା ପ୍ରାୟ ୬ଟାରେ କଲେଜ ହଷ୍ଟେଲକୁ ତାଙ୍କର ଜଣେ ସାଙ୍ଗଙ୍କ ସହ ଏକ ବାଇକରେ ଫେରୁଥିବା ବେଳେ ତାଙ୍କୁ ସେମାନେ ଅଟକାଇଥିଲେ। ଅଭିଯୁକ୍ତ ୨ଜଣ ହାଉସ ସର୍ଜନ ସାହୁଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।