ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା: ଜେଲ ଗଲେ ୨ ଅଭିଯୁକ୍ତ

ଗଞ୍ଜାମ,୧୦।୫(ଡି.ଏନ୍‌.ଏ.): ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ବାଲି ମାଫିଆମାନେ ଅତିରିକ୍ତ ତହସିଲଦାର ଏବଂ ୩ ଆର୍‌ଆଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପଡ଼ିଛି ମହଙ୍ଗା। ଉକ୍ତ ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜେଲ ଯାଇଥିବା ଅଭିଯୁକ୍ତ ମାନେ ହେଲେ କଲ୍ୟାଣପୁର ଗ୍ରାମର ଆର୍‌ ସୁନୀଲ ରେଡ୍ଡି ଓ ଦି ହରି ରେଡ୍ଡି l ପୂର୍ବରୁ ପୋଲିସ ମାମଲା (ନଂ ୬୯/୨୨)ରେ ରୁଜୁ କରିଥିଲା। ଏହାର ତଦନ୍ତ ଭାର ଏସ୍‌ଡିପିଓ ଗୌତମ କିଶାନ ନିଜେ ନେଇଥିଲେ।

ସୂଚନାଯୋଗ୍ୟ, ଦୈନନ୍ଦିନ ରାତିରେ ବାଲିଲୋକନାଥ ମନ୍ଦିର ନିକଟରେ ଥିବା ବାଲି ହୁଙ୍କାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିଲା। ଏନେଇ ତହସିଲ ପକ୍ଷରୁ ଖବର ପାଇ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଓ ତିନି ଆର୍‌ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରା ଉକ୍ତ ସ୍ଥାନରେ ଚଢ଼ାଉ କରିଥିବା ବେଳେ ଚାରି ଜଣ ବାଲି ମାଫିଆ ହଠାତ ତାଙ୍କୁ ଆକ୍ରମଣ କରିଥିଲେ। ଏପରିକି ପିସ୍ତଲ ଦେଖାଇ ଭୟଭିତ କରିବା ସହ ମୁଦି, ସୁନା ଚେନ, ମୋବାଇଲ ଫୋନ, ପର୍ସ ଛଡାଇ ନେଇଯାଇଥିଲେ। ଏନେଇ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ ତହସିଲଦାର ଜେନା ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ l