ନୂଆଦିଲ୍ଲୀ,୬ା୧୧(ପି.ଟି./ଏଜେନ୍ସି): ବିଭିନ୍ନ ରାଜ୍ୟରେ ନିଜ ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ନିର୍ବାଚନ କମିଶନ (ଇସି)ଙ୍କୁ ଦାୟୀ କରିଆସୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ହରିୟାଣା ଭୋଟ ପ୍ରସଙ୍ଗ ଉଠାଇଛନ୍ତି। ବିହାର ବିଧାନସଭା ନିର୍ବାଚନର ଠିକ୍ ଦିନକ ପୂର୍ବରୁ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଏକ ଖବରଦାତା ସମ୍ମିଳନୀ ଡାକି ୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ ଦଳୀୟ ପରାଜୟର କାରଣ ବଖାଣିଛନ୍ତି। ରାହୁଲ କହିଛନ୍ତି, କଂଗ୍ରେସ ଜିତିବା ନେଇ ଏକ୍ଜିଟ୍ ପୋଲ୍ଗୁଡ଼ିକ ଭବିଷ୍ୟବାଣୀ କରିଥିଲେ। କିନ୍ତୁ ଭାଜପା ଏବଂ ନିର୍ବାଚନ କମିଶନ (ଇସି) ମିଳିମିଶି ଫଳାଫଳକୁ ଏପଟ ସେପଟ କରିଦେଲେ। ୨୫ ଲକ୍ଷ ଜାଲ୍ ଭୋଟର ସୃଷ୍ଟି କରି ସେମାନେ ଜନମତକୁ ନିଜ ସପକ୍ଷକୁ ଟାଣିବାରେ ସକ୍ଷମ ହୋଇଥିବା ରାହୁଲ ଅଭିଯୋଗ ଆଣିଛନ୍ତି। ଏପରି କି ହରିୟାଣା ବିଧାନସଭା ନିର୍ବାଚନ ବେଳେ ବ୍ରାଜିଲର ଜଣେ ମହିଳା ମଡେଲ ୧୦ଟି ବୁଥ୍ରେ ୨୨ ଥର ଭୋଟ ଦେଇଥିଲେ। ବିଭିନ୍ନ ବୁଥ୍ରେ ତାଙ୍କର ସ୍ବିଟି, ସୀମା, ସରସ୍ବତୀ ଭଳି ଭିନ୍ନ ଭିନ୍ନ ନାମ ରହିଥିଲା। ତେଣୁ ଏହି ଜାଲିଆତି ଏକ ‘ସେଣ୍ଟ୍ରାଲାଇଜ୍ଡ ଅପରେଶନ୍’ ବୋଲି ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷେ ଇସି ରାହୁଲଙ୍କ ଦାବିକୁ ଭିତ୍ତିହୀନ ଅଭିଯୋଗ କହି ଖଣ୍ଡନ କରିଛନ୍ତି। ହରିୟାଣା ଭୋଟର ତାଲିକାରେ ଯଦି ଜାଲିଆତି ହୋଇଥିଲା, ତେବେ କଂଗ୍ରେସ ପୂର୍ବରୁ କାହିଁକି ଏହାକୁ ଚ୍ୟାଲେଞ୍ଜ କରି ନ ଥିଲା ବୋଲି ଇସି ଅଧିକାରୀମାନେ ପ୍ରଶ୍ନ କରିଛନ୍ତି। ଯଦି ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ଭୋଟ ଦେଉଥିଲେ, କଂଗ୍ରେସର ବୁଥ୍ ଏଜେଣ୍ଟମାନେ କାହିଁକି ତାକୁ ବିରୋଧ କରି ନ ଥିଲେ। ସେହିପରି ଭାଜପା ମଧ୍ୟ ରାହୁଲଙ୍କ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛି। ରାହୁଲ ନିଜ ବିଫଳତା ଲୁଚାଇବାକୁ ଯାଇ ଦେଶକୁ ବଦନାମ କରୁଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସମାଲୋଚନା କରିଛନ୍ତି।

