Categories: ଗଞ୍ଜାମ

୨୩୪ ଅମାନିଆଙ୍କଠାରୁ ୨.୩୪ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୨୬।୬: ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଦୂର କରିବା, ଦୁର୍ଘଟଣା ରୋକିବା ସହ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ତା’ର ପ୍ରୟାସ ଜାରି ରଖିଛି। ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍‌ଙ୍କ ନିର୍ଦ୍ଦେଶକ୍ରମେ ସହରରେ ପୋଲିସ ଏବେ ୩ ଜଣିଆ ବାଇକ୍‌ ଆରୋହୀ (ଟ୍ରିପଲ ରାଇଡିଂ), ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଇବା ସହ ବିନା ହେଲ୍‌ମେଟରେ ଯାଉଥିବା ଅମାନିଆଙ୍କୁ ସାବାଡ଼ ପାଇଁ ଧରପଗଡ଼ ଆରମ୍ଭ କରିଛି।
୨୪ ତାରିଖ ସକାଳ ୬ଟାରୁ ୨୫ ସକାଳ ୬ଟା ମଧ୍ୟରେ ଟ୍ରାଫିକ୍‌ ପୋଲିସ ୨୩୪ ଅମାନିଆଙ୍କଠାରୁ ୨ ଲକ୍ଷ ୩୪ ହଜାର ଜରିମାନା ଆଦାୟ କରିଛି। ସେହିପରି ୮ଜଣ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରି ବାତିଲ ପାଇଁ ଆଞ୍ଚଳିକ ପରିବହନ ବିଭାଗକୁ ପଠାଇଛି। ଦୁଇଚକିଆ ଯାନରେ ୩ଜଣ ବସି ଯାତାୟାତ, ବିନା ହେଲ୍‌ମେଟରେ ଗାଡି ଚଳାଇବା ଓ ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଇଲେ ଦୁର୍ଘଟଣାର ସମ୍ମୁଖୀନ ସମ୍ଭାବନା ଥିବା ନେଇ ପୋଲିସ ଏଭଳି ଆରୋହୀଙ୍କୁ ସତର୍କ କରୁଛି। ଆଗାମୀ ଦିନରେ ପୋଲିସ ପକ୍ଷରୁ ସହରରେ ଯାଞ୍ଚ କଡାକଡି କରାଯିବ ବୋଲି ଟ୍ରାଫିକ ଥାନାଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି। ଲୋକଙ୍କୁ ଏଦିଗରେ ସଚେତନ କରାଯାଉଛି। ଯେଉଁମାନେ ଅମାନିଆ ହେଉଛନ୍ତି, ସେମାନଙ୍କଠାରୁ ଜରିମାନା ଆଦାୟ ହେଉଛି ବୋଲି ସେ କହିଛନ୍ତି।
ସହରର ବ୍ଲାକ୍‌ସ୍ପଟ ଭାବେ ଚିହ୍ନଟ ହୋଇଥିବା ଲାଞ୍ଜିପଲ୍ଲୀ ବାଇପାସ୍‌, କମାପଲି, ଗେଟବଜାର ସମେତ ଚର୍ଚ୍ଚରୋଡ, ଅନ୍ନପୂର୍ଣ୍ଣା ମାର୍କେଟ, ଆସିକା ରୋଡ ଆଦି ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ିି କରାଯିବା ସହ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଉଛି ବୋଲି ଥାନାଧିକାରୀ ବେହେରା କହିଛନ୍ତି।