ଗୁଡ଼ାରି, ୨୭।୧୦(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷିତ ପ୍ରସବ ଓ ଜରୁରୀ ଚିକିତ୍ସା ପାଇଁ ବ୍ଲକର ବିଭିନ୍ନ ଗ୍ରାମରୁ ୧୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ପରିସରରେ ଥିବା ‘ମା’ ଗୃହ’କୁ ଆଣି ସୁରକ୍ଷିତ ଭାବେ ରଖାଯାଇଛି।
ସ୍ଥାନୀୟ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ସହଯୋଗରେ ଆସନ୍ତା ନଭେମ୍ବର ୭ ତାରିଖ ମଧ୍ୟରେ ସମ୍ଭାବ୍ୟ ପ୍ରସବ ତାରିଖ ଥିବା ଗର୍ଭବତୀଙ୍କୁ ଚିହ୍ନଟ କରାଯାଇ ଗୁଡ଼ାରି ଅଣାଯାଇଛି। ସାଧାରଣତଃ ମା’ ଗୃହରେ ୬ ଜଣଙ୍କ ରହିବା ବ୍ୟବସ୍ଥା ଥିବା ବେଳେ ବାତ୍ୟା ଜରୁରୀ ପରିସ୍ଥିତିକୁ ଆଖିଆଗରେ ରଖି ମେଡିକାଲ ପରିସରରେ ସମସ୍ତ ୧୯ ଜଣ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ରହିବା ବ୍ୟବସ୍ଥା କରାଯାଇଛି ବୋଲି ଇନ୍ଚାର୍ଜ ଡାକ୍ତର ସ୍ୱାଗତ ସ୍ୱାଇଁ ସୂଚନା ଦେଇଛନ୍ତି।
ମା’ ଗୃହ କର୍ମଚାରୀଙ୍କ ବ୍ୟତୀତ ମେଡିକାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟମିତ ବ୍ୟବଧାନରେ ଏହି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସେବା ପ୍ରଦାନ କରୁଛନ୍ତି। ପୂର୍ବରୁ ସଫଳ ପ୍ରସବ ହୋଇଥିବା ୫ ଜଣ ମହିଳା ମଧ୍ୟ ଏଠାରେ ରହିଛନ୍ତି। ମଙ୍ଗଳବାର ଜଣେ ଗର୍ଭବତୀଙ୍କ ଅଧିକ ଚିକିତ୍ସା ଆବଶ୍ୟକ ହେବାରୁ ତାଙ୍କୁ ଗୁଣୁପୁର ଉପଖଣ୍ଡ ସ୍ତରୀୟ ମେଡିକାଲକୁ ପଠାଯାଇଛି।
ବାତ୍ୟା ସମୟରେ କୌଣସି ଗାଁରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରୀ ଟିମ୍ ପହଞ୍ଚି ସେବା ଯୋଗାଇଦେବ ବୋଲି ମେଡିକାଲ ଇନ୍ଚାର୍ଜ କହିଛନ୍ତି। ସେହିପରି ସିଡିପିଓ (CDPO) ଅନୀତା ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମା’ ଗୃହରେ ଥିବା ମହିଳାଙ୍କ ସହ ଆଲୋଚନା କରାଯିବା ସହ ୩ ଜଣ ଗୁରୁତର ଅପୁଷ୍ଟ (SAM) ଶିଶୁଙ୍କୁ ଗୁଣୁପୁର NRC (Nutrition Rehabilitation Centre) କୁ ରେଫର୍ କରାଯାଇଛି।